Categories: ଜାତୀୟ

କାହିଁକି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି ଭାଜପା

ନୂଆଦିଲ୍ଲୀ,୧୩ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ନ୍ୟାଶନାଲ ଡେମୋକ୍ରାଟିକ୍ ଆଲଏନ୍ସ(ଏନ୍‌ଡିଏ)କୁ ବହୁମତ ମିଳିଛି । ୧୨୫ ଆସନରେ ଏନ୍‌ଡିଏ ବିଜୟ ଲାଭ କରି ଏବେ ସରକାର ଗଠନ କରିବାକୁ ବାହାରିଛି । ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭଜପା) ଭଲ ପ୍ରଦର୍ଶନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଖରାପ ପ୍ରଦର୍ଶନକୁ ନେଇ ଚିନ୍ତାରେ ରହିଛନ୍ତି ନୀତୀଶ । ଜେଡିୟୁର ଖରାପ ପ୍ରଦର୍ଶନ ପରେ ବି ଭାଜପା ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି । ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଲାଣି । ତେବେ ଏହା ପଛର କାରଈକୁ ନେଇ ଏବେ ଆଲୋଚନା ଆରମ୍ଭ ହେଲାଣି । କୁହାଯାଉଛି କି ଭବିଷ୍ୟତକୁ ଲକ୍ଷ୍ୟ କରି ଭାଜପା ଏଭଳି ନିଷ୍ପତ୍ତି ନେଇଛି । ବିହାରରେ ସୁଶାସନ ବାବୁ ନାଁରେ ପରିଚିତ ନୀତୀଶ କୁମାରଙ୍କ ଦଳ ଭଲ ପ୍ରଦର୍ଶନ କରି ନ ଥିବାରୁ ଏବେ ଏହା ଛୋଟ ଭାଇ ଭୂମିକାକୁ ଚାଲି ଆସିଛି । କାରଣ ଏଥରର ଫଳାଫଳ ଏକ ପ୍ରକାର ନୀତୀଶଙ୍କ ଆସନକୁ ଦୋହଲାଇ ଦେଇଛି । କିନ୍ତୁ ଭାଜପାର ଶୀର୍ଷ ନେତାମାନେ ଏବେ ନୀତୀଶଙ୍କୁ ବିହାର ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁଛନ୍ତି । କୁହାଯାଉଛି କି ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ରହିବେ ନୀତୀଶ । କାରଣ ଆଗକୁ ଭାଜପା ପଶ୍ଚିମବଙ୍ଗରେ ଏକ ବଡ ପରିବର୍ତ୍ତନ ଲକ୍ଷ୍ୟରେ ରହିଛି । ତେଣୁ ଏହି ସମୟରେ ଯଦି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରା ନ ଯାଏ ତେବେ ହୁଏତ ସେ ଏନ୍‌ଡିଏ ଛାଡି ଦେଇପାରନ୍ତି । ଆଉ ଯଦି ନୀତୀଶଙ୍କ ଭଳି ନେତା ନାରାଜ ହୋଇଗଲେ ତେବେ ପଞ୍ଜାବରେ କୃଷି ବିଲ୍‌କୁ ନେଇ ଶିରୋମଣି ଅକାଳି ଦଳ ଯେଉଁଭଳି ଭାବେ ଏନ୍‌ଡିଏରୁ ବାହାରି ଗଲା ନୀତୀଶଙ୍କ କ୍ଷେତ୍ରରେ ସେଭଳି ହେବାକୁ ଚାହୁଁନାହିଁ ଭାଜପା । କାରଣ ନୀତୀଶ ଏନ୍‌ଡିଏରୁ ବାହାରି ଗଲେ ଏହାର ପ୍ରଭାବ ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ଓ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ଉପରେ ପଡିବ ବୋଲି କୁହାଯାଉଛି । କାରଣ ପଶ୍ଚିମବଙ୍ଗରେ ବିହାରର ଅଧିକାଂଶ ଲୋକେ ବିଭିନ୍ନ ଘରୋଇ ସଂସ୍ଥା ଓ ଚା’ବଗିଚାରେ କାମ କରୁଛନ୍ତି । ଆଉ ନୀତୀଶ ପଛୁଆ ବର୍ଗର ବଡ ନେତାଙ୍କ ମଧ୍ୟରେ ଜଣେ ହୋଇଥିବାରୁ ଏହାର ପ୍ରଭାବ ପଶ୍ଚିମବଙ୍ଗ ନିର୍ବାଚନ ଉପରେ ପଡିବା ସହ ଭାଜପା ହୁଏତ କ୍ଷତି ସହିବ ବୋଲି ଭାବି, ଏଥର ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଭାଜପା ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେଣୁ ପଶ୍ଚିମବଙ୍ଗରେ ଭାଜପା ନୀତୀଶଙ୍କୁ ଟ୍ରମ୍ପ କାର୍ଡ ଭାବେ ଖେଳିବାକୁ ଯାଉଛି ବୋଲି ଆଲୋଚନା ହେଉଛି । ଅନ୍ୟପଟେ ୧୯୯୫ ପରେ ବିହାରରେ ଜିଡେୟୁର ଏହି ଖରାପ ପ୍ରଦର୍ଶନ ନୀତୀଶଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଥିବା ବେଳେ ସେ କୁଆଡେ ରାଜନୀତିରୁ ଇସ୍ତଫା ଦେଇ ପାରନ୍ତି ବୋଲି ଆଲୋଚନା ହେଉଛି । ହେଲେ ନୀତୀଶ ଏହାକୁ ଖଣ୍ଡନ କରିଛନ୍ତି ।

Share