
କୋଲକାତା,୬।୪: ପଶ୍ଚିମବଙ୍ଗରେ ରାମନବମୀ ଉତ୍ସବ ପାଇଁ କକ୍ଷା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଶୋଭାଯାତ୍ରାରେ ଅସ୍ତ୍ର ଧରି ସାମିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ଭାଜପା ଏବଂ ଶାସକ ତୃଣମୂଳ କଂଗ୍ରେସ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି। କେବଳ କୋଲକାତାରେ ୭୦ରୁ ଊର୍ଦ୍ଧ୍ୱ ରାଲି ହୋଇଥିବାରୁ ପ୍ରାୟ ୫,୦୦୦ ପୋଲିସ ମୁତୟନ ହେବା ସହ ସ୍ଥିତି ଉପରେ ନଜର ରଖିବା ଲାଗି ଡ୍ରୋନ୍ ଏବଂ ସିସିଟିଭି ଲଗାଯାଇଥିଲା।
ଏଣ୍ଟାଲି, କୋସିପୋରେ, ଖିଦ୍ଦରପୁର ଏବଂ ଚିତ୍ପୋର ଭଳି ସମ୍ବେଦନଶୀଳ ଅଞ୍ଚଳରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଟିମ୍କୁ ରଖାଯାଇଥିଲା। ବିବାର ସକାଳୁ ସାରା ରାଜ୍ୟରେ ଶୋଭାଯାତ୍ରା, ଭକ୍ତି ସଙ୍ଗୀତ ଓ ଗୌରିକ ପତାକା ସହ ରାମାୟଣ ଦୃଶ୍ୟ ଥିବା ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିଥିବାବେଳେ କେତେକ ରାଲିରେ ଅସ୍ତ୍ର ପ୍ରଦର୍ଶନ କରାଯାଇଥିଲା। ମାଲଦାର ରାମକ୍ରିଷ୍ଣପାଲି ମଇଦାନରୁ ଆରମ୍ଭ ହୋଇଥିବା ବିଶାଳ ଶୋଭଯାତ୍ରାରେ ଭାଗନେଇଥିବା ଲୋକେ ଖୋଲାଖୋଲି ଖଣ୍ଡା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ହଲାଉଥିବା ଦେଖାଯାଇଥିଲା। ହାଓ୍ବଡ଼ାର ସଙ୍କରେଲରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା।
ଉତ୍ସବ ସର୍ତ୍ତାବଳୀର ଉଲ୍ଲଂଘନ କରିଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଠୋନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ତେବେ ଧର୍ମୀୟ ଶୋଭାଯାତ୍ରାରେ ଅସ୍ତ୍ର ଧରିବା ସପକ୍ଷରେ ଭାଜପାର ବରିଷ୍ଠ ନେତା ଦିଲୀପ ଘୋଷ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଛନ୍ତି। ଯାଦବପୁର ୟୁନିଭର୍ସିଟିକୁ ଟାର୍ଗେଟ କରି ସେ କହିଛନ୍ତି, ‘ଭାରତ ତେରେ ଟୁକ୍ଡେ ହୋଙ୍ଗେ’ ସ୍ଲୋଗାନକୁ ଯଦି ବରଦାସ୍ତ କରାଯାଉଛି ତେବେ ସେଠାରେ ଜୟ ଶ୍ରୀରାମ ସ୍ଲୋଗାନ ଦେବାରେ ସମସ୍ୟା କେଉଁଠି ବୋଲି ଘୋଷ ପ୍ରଶ୍ନ କରିଛନ୍ତି। ରାମନମବୀ ଉତ୍ସବକୁ ଜବରଦସ୍ତ ବନ୍ଦ କରାଯିବା ଉଦ୍ୟମକୁ ବରଦାସ୍ତ କରାଯିବ ନାହିଁ ବୋଲି ଭାଜପା ରାଜ୍ୟ ସଭାପତି ସୁକାନ୍ତ ମଜୁମ୍ଦାର କହିଛନ୍ତି।