Categories: ଜାତୀୟ

ଭାଜପା ସମର୍ଥକଙ୍କୁ ଧମକ ଦେଲେ ଟିଏମ୍‌ସି ବିଧାୟକ: ଭିଡିଓ ଭାଇରାଲ

କୋଲକତା,୨୯।୩: ପଶ୍ଚିମବଙ୍ଗରେ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ କଳି ତୁଟିବାର ନାଁ ଧରୁନି। ବିଧାନସଭାରେ ବି ଭାଜପା ଏବଂ ତୃଣମୂଳ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଭାଜପା ଆଇଟି ସେଲ୍‌ ଦାୟିତ୍ୱରେ ଥିବା ଅମିତ ମାଲଭିଆ ମଙ୍ଗଳବାର ଟୁଇଟର୍‌ରେ ଟିଏମସି ବିଧାୟକଙ୍କ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଭାଜପା ସମର୍ଥକଙ୍କୁ ଧମକ ଦେବା ସହ ଭାଜପାକୁ ଭୋଟ ନ ଦେବାକୁ କହିଛନ୍ତି। ଏହି ଭିଡିଓକୁ ନିର୍ବାଚନ ଆୟୋଗଙ୍କ ସହ ଶେୟାର କରି ଅମିତ ମାଲଭିଆ ଟିଏମସି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଭଳି ବିଧାୟକଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ମାଲଭିଆ ଅଭିଯୋଗ କରିଛନ୍ତି।
ଶେୟାର ହୋଇଥିବା ଭିଡିଓରେ ଟିଏମସି ବିଧାୟକ ନରେନ ଚକ୍ରବର୍ତ୍ତୀ ଭାଜପା ସମର୍ଥକଙ୍କୁ ଭୋଟ ନ ଦେବାକୁ କହୁଥିବା ନଜର ଆସିଛନ୍ତି। ସେ ଦଳୀୟ କର୍ମୀଙ୍କୁ କହିଛନ୍ତି, ଭାଜପା ଭୋଟରଙ୍କୁ ଧମକ ଦିଅ, ସେମାନଙ୍କୁ କୁହ ଯେ ସେମାନେ ଭୋଟ ଦେବାକୁ ନ ଯାଆନ୍ତୁ। ଯଦି ସେମାନେ ଭୋଟ ଦେବାକୁ ଯାଆନ୍ତି, ତେବେ ପରେ ଏହାର ପରିଣାମ ଭୋଗିବେ।
ସୂଚନାଯୋଗ୍ୟ,ଏପ୍ରିଲରେ ଆସାନସୋଲରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏହି ଆସନରୁ ଟିଏମ୍‌ସିର ଶତ୍ରୁଘ୍ନ ସିହ୍ନା ଏବଂ ଅଗ୍ନିମିତ୍ର ପାଲ ଭାଜପାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Share