Categories: ଖେଳ

ଅଷ୍ଟ୍ରେଲିଆକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ

ପୋର୍ଟଅଫ୍‌ ସ୍ପେନ୍‌, ୩୧ା୫: ଟି୨୦ କ୍ରିକେଟ ବିଶ୍ୱକପ୍‌ ପୂର୍ବରୁ ଆୟୋଜିତ ଏକ ଓ୍ବାର୍ମଅପ୍‌ ମ୍ୟାଚରେ ନିକୋଲାସ ପୁରନ ଓ ରୋଭମାନ ପାଓ୍ବେଲଙ୍କ ଅର୍ଦ୍ଧଶତକ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ୯ଜଣିଆ ଅଷ୍ଟ୍ରେଲିଆ ଦଳକୁ ୩୫ ରନ୍‌ରେ ପରାସ୍ତ କରିଛି। ନାମ୍ବିୟା ବିପକ୍ଷ ମ୍ୟାଚ ଭଳି ଅଷ୍ଟ୍ରେଲିଆ ୯ଜଣ ଖେଳାଳିଙ୍କୁ ନେଇ ଏହି ମ୍ୟାଚ ଖେଳିଥିଲା।

ଫିଲ୍ଡିଂ ବେଳେ ସିଲେକ୍ଟର ଜର୍ଜ ବୋଲି ଓ ମୁଖ୍ୟ କୋଚ୍‌ ଆଣ୍ଡ୍ର୍ୟୁ ମ୍ୟାକ୍‌ଡୋନାଲ୍ଡଙ୍କୁ କିନ୍ତୁ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିଥିଲା। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ପୁରନ (୭୫ରନ, ୨୫ବଲ୍‌, ୫ ଚୌକା ଓ ୮ ଛକା) ଓ ଅଧିନାୟକ ପାଓ୍ବେଲ (୫୨ରନ, ୨୫ ବଲ୍‌, ୪ ଚୌକା ଓ ୪ ଛକା)ଙ୍କ ଅର୍ଦ୍ଧ ଶତକ ଏବଂ ଶେରଫେନ୍‌ ରଥରଫୋର୍ଡଙ୍କ ୧୮ ବଲ୍‌ରୁ ଅପରାଜିତ ୪୭ (୪ ଚୌକା ଓ ୪ ଛକା) ସହାୟତାରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ବିନିମୟରେ ୨୫୭ ରନ କରିଥିଲା।

ପୁରନ ଓ ଜନସନ ଚାଲର୍‌ସ (୪୦ରନ)ଙ୍କ ମଧ୍ୟରେ ଦ୍ୱିତୀୟ ଉଇକେଟରେ ୯୦ ରନ ଏବଂ ୫ମ ଉଇକେଟରେ ରଥରଫୋର୍ଡ ଓ ଶିମରନ ହେଟମେୟର (୧୮)ଙ୍କ ମଧ୍ୟରେ ୫ମ ଉଇକେଟରେ ୬୩ ରନର ଅପରାଜିତ ପାର୍ଟନରଶିପ୍‌ ହୋଇଥିଲା।
ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂ କରି ଟିମ୍‌ ଡେଭିଡ୍‌, ଜୋଶ ହାଜ୍‌ଲେଉଡ୍‌, ଆଡାମ ଜାମ୍ପା, ନାଥାନ ଏଲିସ ଓ ଆଶଟନ ଅଗର ମହାଙ୍ଗା ସାବ୍ୟସ୍ତ ହୋଇଥିଲେ।

ଜବାବରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ହରାଇ ୨୨୨ ରନ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଜୋଶ ଇଂଲିଶ ୫୫ରନ (୩୦ ବଲ୍‌, ୩ଚୌକା ଓ ୪ ଛକା) ଏବଂ ନାଥାନ ଏଲିସଙ୍କ ୩୯ ରନ (୨୨ ବଲ୍‌, ୪ ଚୌକା ଓ ୨ ଛକା)ଙ୍କ ବ୍ୟାଟିଂ ଉଲ୍ଲେଖନୀୟ ରହିଥିଲା। ଅଧିନାୟକ ପ୍ୟାଟ କୁମିନ୍ସ, ଗ୍ଲେନ ମାକ୍ସଓ୍ବେଲ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, କାମେରନ ଗ୍ରୀନ ଏବଂ ଟ୍ରାଭିସ୍‌ ହେଡ୍‌ଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ଏହି ମ୍ୟାଚ ଖେଳିଥିଲା। ଏହି ଖେଳାଳିମାନେ ଆଉ କିଛି ଦିନ ପରେ ଦଳ ସହିତ ଯୋଗ ଦେବେ। ନାମ୍ବିୟା ଏହା ପୂର୍ବରୁ ଖେଳିଥିବା ଏକ ଓ୍ବାର୍ମଅପ୍‌ ମ୍ୟାଚକୁ ଡିଏଲ୍‌ଏସ୍‌ ପଦ୍ଧତିରେ ୩ ରନରେ ଜିତିଥିଲା।

Share