Categories: ଖେଳ

ଓ୍ବେଷ୍ଟଇଣ୍ଡିଜର ଡେଭନ ଥୋମାସ ସସ୍‌ପେଣ୍ଡ

ଦୁବାଇ, ୨୪ା୫ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଙ୍ଗଳବାର ଓ୍ବେଷ୍ଟଇଣ୍ଡିଜ ବ୍ୟାଟର ଡେଭନ ଥୋମାସଙ୍କୁ ସସ୍‌ପେଣ୍ଡ କରିଛି। ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌) ୨୦୨୧ରେ ମ୍ୟାଚ ଫିକ୍ସିଂ କରିବା ଏବଂ ସେହିବର୍ଷ ଅନ୍ୟ ଦୁଇ ଫ୍ରାଞ୍ଚାଇଜ୍‌ ଟୁର୍ନାମେଣ୍ଟରେ ସେ ଦୁର୍ନୀତି କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ ହୋଇଛି। ଥୋମାସ ଓ୍ବେଷ୍ଟଇଣ୍ଡିଜ ତରଫରୁ ୨୦୨୨ ଅଗଷ୍ଟରେ ଖେଳିଥିଲେ। ସେ ଆଇସିସି ଦୁର୍ନୀତି ନିବାରଣ ଆଚରଣ ବିଧିର ୭ଟି ନିୟମର ଉଲ୍ଲଂଘନ କରିଛନ୍ତି। ଦୁବାଇରେ ୟୁଏଇ ବିପକ୍ଷ ଆଗାମୀ ଅନ୍ତର୍ଜାତୀୟ ଦିନିକିଆ ସିରିଜ ପାଇଁ ସେ ମନୋନୀତ ହୋଇଛନ୍ତି। ଫିକ୍ସିଂ ଅଭିଯୋଗ ବ୍ୟତୀତ ଏହି ୩୩ ବର୍ଷୀୟ କ୍ରିକେଟର ଆବୁଧାବୀ ଟି୧୦ ଓ କ୍ୟାରିବିୟନ ପ୍ରିମିୟର ଲିଗ୍‌ ୨୦୨୧ରେ ତାଙ୍କୁ ଦୁର୍ନୀତି କାର୍ଯ୍ୟ ପାଇଁ ଳପ୍ରୋଲୋଭିତ କରିଯାଇଥିଲେ ମଧ୍ୟ ସେ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣି ନ ଥିଲେ। ଥୋମାସଙ୍କୁ ୧୪ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଛି। ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲସି), ଦି ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ଓ କ୍ୟାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ଙ୍କ ତରଫରୁ ଆଇସିସି ଏହି ପଦକ୍ଷେପ ନେଇଛି। ଆଇସିସି ଏକ ରିଲିଜରେ କହିଛି, ଥୋମାସ ତଦନ୍ତ ବେଳେ ଦୁର୍ନୀତି ନିବାରଣ ଅଫିଆଲଙ୍କୁ ସହଯୋଗ କରି ନ ଥିଲେ। ସୂଚନାଯୋଗ୍ୟ, ଥୋମାସ ଓ୍ବେଷ୍ଟଇଣ୍ଡିଜ ତରଫରୁ ଗୋଟିଏ ଟେଷ୍ଟ ୨୧ ଅନ୍ତର୍ଜାତୀୟ ଦିନିକିଆ ଏବଂ ୧୨ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିଛନ୍ତି। ସେ ତାଙ୍କର ଏକମାତ୍ର ଟେଷ୍ଟ ଗତବର୍ଷ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ବର୍ତ୍ତମାନ ସେ ପ୍ରଥମ ଶ୍ରେଣୀ କ୍ରିକେଟର ଭାବେ ସକ୍ରିୟ ଅଛନ୍ତି।

Share