Categories: ଖେଳ

ନିର୍ଣ୍ଣାୟକ ମ୍ୟାଚ୍‌ରେ ସୂର୍ଯ୍ୟ, ସାମ୍‌ସନଙ୍କ ଉପରେ ନଜର

ଟରୌବା,୧।୮ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ମଙ୍ଗଳବାର ସ୍ଥାନୀୟ ବ୍ରାଏନ ଲାରା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଓ୍ବେଷ୍ଟଇଣ୍ଡିଜ ମାଟିରେ ପ୍ରଥମ ୨ଟି ଦିନିକିଆରେ ଭାରତର ପରୀକ୍ଷା ନିରୀକ୍ଷା କାମ ଦେଇନାହିଁ। ଦ୍ୱିତୀୟ ଦିନିକିଆରେ ହାରି ଭାରତ ସିରିଜ ପରାଜୟ ଆଶଙ୍କାରେ ପଡ଼ିଛି।

ଭାରତ ବୃହତ୍ତର ଦୃଷ୍ଟିକୋଣରୁ ପରୀକ୍ଷା ନିରୀକ୍ଷା ଜାରି ରଖିଛି ବୋଲି ଦ୍ୱିତୀୟ ଦିନିକିଆରେ ପରାଜୟ ପରେ କୋଚ୍‌ ରାହୁଲ ଡ୍ରାଭିଡ ପ୍ରକାଶ କରିଥିଲେ। ତେଣୁ ଭାରତ ସେହି ପ୍ରକ୍ରିୟା ଆଗାମୀ ମ୍ୟାଚରେ ମଧ୍ୟ ଜାରି ରଖିବ ବୋଲି ଅନୁମାନ କରାଯାଉଛି। ଏପରିସ୍ଥିତିରେ ସଞ୍ଜୁ ସାମସନ୍‌ ଓ ସୂର୍ଯ୍ୟକୁମାର ଯାଦବ ମିଡିଲ ଅର୍ଡରରେ କ୍ଲିକ୍‌ କରନ୍ତୁ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ନିଶ୍ଚିତ ଆଶା ବାନ୍ଧି ବସିଛି।

ମ୍ୟାଚ୍‌ରେ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କୁ ଯଦି ବିଶ୍ରାମ ଦେବା ଧାରା ଜାରି ରୁହେ ତେବେ ଭଲ ଫଳାଫଳ ପାଇଁ ସୂର୍ଯ୍ୟକୁମାରଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ। ସଞ୍ଜୁ ସାମ୍‌ସନଙ୍କ ପରି ଖେଳାଳି ସୁଯୋଗର ସଦ୍‌ବ୍ୟବହାର କରିପାରି ନାହାନ୍ତି। ସିରିଜ ନିର୍ଣ୍ଣାୟକ ମ୍ୟାଚ ତାଙ୍କ ପାଇଁ ସମ୍ପୂର୍ଣ୍ଣ ସୁଯୋଗ ସଦୃଶ ହେବ। ଦ୍ୱିତୀୟ ଦିନିକିଆ ପରି ସେ ଆଗାମୀ ମ୍ୟାଚରେ ମଧ୍ୟ ତୃତୀୟ ସ୍ଥାନରେ ବ୍ୟାଟିଂ କରିପାରନ୍ତି। ଟେଷ୍ଟ ସିରିଜ ଆରମ୍ଭରୁ ଏପର୍ଯ୍ୟନ୍ତ ଇଶାନ କିଶନ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ମାତ୍ର ଶୁବମନ ଗିଲ୍‌ଙ୍କ ବ୍ୟାଟ୍‌ରୁ ଏପର୍ଯ୍ୟନ୍ତ ବଡ଼ ସ୍କୋର ମିଳିନାହିଁ। ପ୍ରଥମ ୨ଟି ଗେମ୍‌ରେ ବୋଲିଂ ଓପନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂରେ କିନ୍ତୁ ନିଜ ଶ୍ରେଷ୍ଠ ପ୍ରଦର୍ଶନଠାରୁ ବହୁ ଦୂରରେ ରହିଛନ୍ତି। ଆଗକୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ହେବ। ତେଣୁ ତା’ ପୂର୍ବରୁ ଶେଷ ଦିନିକିଆରେ ସେ ଭଲ ରନ୍‌ କରିବା ଆବଶ୍ୟକ ହେଉଛି।

 

Share