Categories: ଖେଳ

ଦ୍ୱିତୀୟ ଦିନିକିଆ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

ଇଷ୍ଟ ଲଣ୍ଡନ,୨୦ା୩(ପି.ଟି.): ଟପ୍‌ ଅର୍ଡର ବ୍ୟାଟର ସାଇ ହୋପ୍‌ଙ୍କ ଅପରାଜିତ ୧୨୮ ରନ୍‌ ବଳରେ ଇଷ୍ଟ ଲଣ୍ଡନରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୪୮ ରନରେ ଜିତି ନେଇଛି ଓ୍ବେଷ୍ଟଇଣ୍ଡିଜ୍‌। ପ୍ରଥମ ଦିନିକିଆ ବର୍ଷା କାରଣରୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚକୁ ଜିତି ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ୫୦ ଓଭରରେ ୮ ଉଇକେଟରେ ୩୩୫ ରନ୍‌ କରିଥିଲା। ଜବାବରେ ଟେମ୍ବା ବାଭୁମାଙ୍କ ୧୪୪ ରନ୍‌ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ୪୧.୪ ଓଭରରେ ୨୮୭ ରନରେ ଅଲଆଉଟ ହୋଇଥିଲା।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଉଇକେଟରେ ୬୭ ରନ୍‌ ଯୋଡିଥିଲା। ୪ ରନ୍‌ ମଧ୍ୟରେ ୩ ଉଇକେଟ ହରାଇ ଦଳ ସଙ୍କଟରେ ଥିବା ବେଳେ ନିକୋଲାସ୍‌ ପୁରନ୍‌ (୩୯)ଙ୍କ ସହ ୮୬ ରନ୍‌ ଯୋଡିଥିଲେ ସାଇ ହୋପ୍‌। ପରେ ନିମ୍ନ ମଧ୍ୟକ୍ରମରେ ରୋଭମାନ ପାଓ୍ବେଲ(୪୬), ଜାସନ ହୋଲ୍ଡର (୧୫) ଓ ଆଲଜାରି ଯୋଶେଫ୍‌ (୧୩)ଙ୍କୁ ସାଥୀ କରି ଦଳୀୟ ସ୍କୋର ୩୦୦ ପାର କରାଇଥିଲେ। ୧୦୫ ତମ ଦିନିକିଆ ମ୍ୟାଚ୍‌ ଖେଳୁଥିବା ୨୯ ବର୍ଷୀୟ ହୋପ୍‌ ନିଜର ୧୪ ତମ ଶତକ ହାସଲ କରିଥିଲେ। ୧୧୫ ବଲ୍‌ ଖେଳି ସେ ୫ ଚୌକା ଓ ୭ ଛକା ମାରିଥିବା ବେଳେ ୧୨୮ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଜେରାଲ୍ଡ କୋଏଟ୍‌ଜେ ୩ ଉଇକେଟ ନେଇଥିବା ବେଳେ ବୁଏର୍ନ ଫୋର୍ଟୁଇନ୍‌ ଓ ଟାବରେଜ୍‌ ସାମ୍‌ସି ୨ଟି ଲେଖାଏ ଉଇକେଟ ନେଇଥିଲେ।

୩୩୬ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୱିଣ୍ଟନ୍‌ ଡିକକ୍‌(୪୮) ଓ ବାଭୁମା ପ୍ରଥମ ଉଇକେଟରେ ୭୬ ରନ୍‌ ଯୋଡ଼ିଥିଲେ। ତେବେ ମଧ୍ୟକ୍ରମ ବିପର୍ଯ୍ୟୟ କାରଣରୁ ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଅଧିନାୟକ ବାଭୁମା ଗୋଟିଏ ପଟରୁ ଲଢେଇ ଜାରି ରଖି ଦ୍ରୁତ ଶତକ ହାସଲ କରିଥିଲେ ମଧ୍ୟ ଦଳ ବିଜୟରୁ ୪୮ ରନ୍‌ ଦୂରରେ ରହି ଯାଇଥିଲା। ବାଭୁମା ୧୧୮ ବଲ୍‌ ଖେଳି ୧୧ ଚୌକା ଓ ୭ ଛକା ସହିତ ୧୪୪ ରନ୍‌ କରି ନବମ ବ୍ୟାଟର ଭାବରେ ପ୍ୟାଭିଲିୟନ୍‌ ଫେରିଥିଲେ। ଆଲଜାରି ଯୋଶେଫ୍‌ ଓ ଅକିଲ ହୋସେନ୍‌ ୩ଟି ଲେଖାଏ ଉଇକେଟ ନେଇଥିଲେ।

ସଂକ୍ଷିପ୍ତ ସ୍କୋର
ଓ୍ବେଷ୍ଟଇଣ୍ଡିଜ ୫୦ ଓଭରରେ ୩୩୫/୮(ସାଇ ହୋପ୍‌-୧୨୮, ରୋଭମାନ ପାଓ୍ବେଲ-୪୬, ନିକୋଲାସ ପୁରନ୍‌-୩୯, ଜେରାଲ୍ଡ କୋଏଟ୍‌ଜେ-୩/୫୭, ବୁଏର୍ନ ଫୋର୍ଟୁଇନ୍‌-୨/୫୭, ଟାବରେଜ୍‌ ସାମ୍‌ସି-୨/୬୨)।
ଦକ୍ଷିଣ ଆଫ୍ରିକା ୪୧.୪ ଓଭରରେ ୨୮୭/୧୦(ଟେମ୍ବା ବାଭୁମା-୧୪୪, କ୍ୱିଣ୍ଟନ୍‌ ଡିକକ୍‌-୪୮, ଟୋନି ଡେ ଜୋର୍ଜି-୨୭, ଆଲଜାରି ଯୋଶେଫ୍‌-୩/୫୩, ଅକିଲ ହୋସେନ-୩/୫୯)।

Share