Categories: ଜାତୀୟ

ଜିଲାପାଳଙ୍କୁ ଦାଦାଗିରି ପଡିଲା ମହଙ୍ଗା

ଅଗରତାଲା,୩।୫: କୋଭିଡ ନିୟମକୁ ପାଳନ କରିବା ଆଳରେ ପଶ୍ଚିମ ତ୍ରିପୁରା ଜିଲାପାଳ ଦାଦାଗିରି କରିବା ତାଙ୍କୁ ମହଙ୍ଗା ପଡିଛି। ଜିଲାପାଳ ଶୈଳେଶ କୁମାର ଯାଦବ ବିବାହ ମଣ୍ଡପରେ ପଶି ବର, ପଣ୍ଡିତ ଏବଂ ଅତିଥିଙ୍କ ସହ ଦୁର୍ବବ୍ୟବହାର କରିବା ଘଟଣାରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏନେଇ ଆଇନ ମନ୍ତ୍ରୀ ରତନ ଲାଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଜିଲାପାଳ ଦଳବଳ ସହ ବିବାହ ମଣ୍ଡପରେ ପଶି ପଣ୍ଡିତଜୀଙ୍କୁ ଥାପଡ଼ ମାରିବା ସହ ବରଙ୍କୁ ଧକ୍କା ମାରିଥିଲେ। ଯିଏ ସାମ୍ନାରେ ପଡ଼ିଲେ ଗିରଫ ନିର୍ଦ୍ଦେଶ ସହ ଜେଲରେ ପୂରାଇ ଦେବାକୁ ଧମକ ଦେଇଥିlଲେ। ଖାଲି ସେତିକି ନୁହେଁ ସର୍ବସାଧାରଣରେ ପୋଲିସକୁ ବି ସାଂଘାତିକ ଗାଳି। ଜିଲାପାଳ ଶୈଳେଶ କୁମାର ଯାଦବଙ୍କ କାରନାମା ଏ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ତେବେ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ପରେ ଜିଲାପାଳ ଶୈଳେଶ କୁମାର ଯାଦବ ନିଜ ଆଚରଣ ପାଇଁ କ୍ଷମା ପ୍ରାର୍ଥନା କରିବା ସହ କାହାର ଭାବନାକୁ ଆଘାତ କରିବା ଉଦ୍ଦେଶ୍ୟ ନ ଥିଲା ବୋଲି କହିଛନ୍ତି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ରିପୋର୍ଟ ତଲବ କରିଥିଲେ।

Share