Categories: ରାଜ୍ୟ

ଆସୁଛି ପଶ୍ଚିମା ଝଡ଼, ଏହି ସବୁ ଜିଲାରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୧୬।୪: ରାଜ୍ୟକୁ ପୁଣି ଫେରିଛି ତାତି। ଏହି ସ୍ଥିତି ଆଗକୁ ମଧ୍ୟ ଜାରି ରହିବ। ସେଥିପାଇଁ ପାଣିପାଗ ବିଭାଗ ଆସନ୍ତା ୫ ଦିନ ପାଇଁ ପ୍ରବଳ ଖରାକୁ ନେଇ ବିଭିନ୍ନ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ତେବେ ଆଶ୍ୱସ୍ତିର ଖବର ଏହା ଯେ, ୨୦ ତାରିଖ ବେଳକୁ ପାଗରେ ସାମନ୍ୟ ପରିବର୍ତ୍ତନ ଆସିପାରେ। ସେହିଦିନ ରାଜ୍ୟର କିଛି ଅଞ୍ଚଳରେ ହାଲକା ବର୍ଷା ହୋଇପାରେ। ସେହିପରି ୨୧ ଓ ୨୨ ତାରିଖରେ ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ଆଗାମୀ ତିନି ଦିନ ମଧ୍ୟରେ ଦିନର ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷ କରି ୧୮ ଓ ୧୯ ତାରିଖରେ ଖରା ପ୍ରକୋପ ଅଧିକ ରହିବ। କିଛି ଜିଲାରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ରେକର୍ଡ କରାଯିବାର ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ୧୯ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ୨୦ ତାରିଖରେ ଦକ୍ଷିଣ ଓ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି। ତେଣୁ କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୨୧ ଓ ୨୨ରେ ଏକ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଗଡ଼ଇ ସହିତ ବର୍ଷା ହେବାର ସମ୍ଭାବନା ରହୁଛି।