Categories: ଖେଳ

ପଶ୍ଚିମାଞ୍ଚଳ ତାରକା ବ୍ୟାଟର ବିଫଳ

ଅଲୁର, ୬।୭ (ପି.ଟି.): ଦୁଲିପ ଟ୍ରଫି କ୍ରିକେଟର ପ୍ରଥମ ସେମିଫାଇନାଲ ଏଠାରେ ବୁଧବାର ପଶ୍ଚିମାଞ୍ଚଳ ଓ କେନ୍ଦ୍ରାଞ୍ଚଳ ମଧ୍ୟରେ ଆରମ୍ଭ ହୋଇଛି। ତାରକା ବ୍ୟାଟରଙ୍କ ବିଫଳତା ଯୋଗୁ ପଶ୍ଚିମାଞ୍ଚଳ ପ୍ରଥମ ଦିବସ ଖେଳ ଶେଷ ବେଳକୁ ପ୍ରଥମ ଇନିଂସରେ ୨୧୬ ରନ ମଧ୍ୟରେ ୮ ଉଇକେଟ ହରାଇଛି। କେନ୍ଦ୍ରାଞ୍ଚଳର ଶିବମ୍‌ ମାଭି ୪୩ ରନ ମଧ୍ୟରେ ୪ ଉଇକେଟ ହାସଲ କରି ପଶ୍ଚିମାଞ୍ଚଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି। ୭ ନମ୍ବର ବ୍ୟାଟର ଅତିତ ସେଠ୍‌ଙ୍କ ଧେର୍ଯ୍ୟପୂର୍ଣ୍ଣ ୭୪ (୧୨୯ ବଲ୍‌) ରନ ଦଳର ସମ୍ମାନ ରଖିଛି।
ମ୍ୟାଚ ଆରମ୍ଭରୁ ପଶ୍ଚିମାଞ୍ଚଳ ଫେଭରାଇଟ ବିବେଚିତ ହେଉଥିଲା। ଦଳର ଆରମ୍ଭ ମଧ୍ୟ ଭଲ ହୋଇଥିଲା। ମାତ୍ର ୧୬ତମ ଓଭରରେ ପୃଥ୍ବୀ ଶ’ ଆଉଟ ହେବା ସହ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା। ୨୬ ରନ କରିଥିବା ପୃଥ୍ବୀଙ୍କୁ ଆଉଟ କରି କେନ୍ଦ୍ରାଞ୍ଚଳକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ସୌରଭ କୁମାର। ଏହାପରେ ଅଧିନାୟକ ପ୍ରିୟଙ୍କ ପଞ୍ଚଲ ୧୩, ସୂର୍ଯ୍ୟକୁମାର ଯାଦବ ୭, ସର୍ଫରାଜ ଖାଁ ଖାତା ଖୋଲିବା ପୂର୍ବରୁ ଏବଂ ହିତ୍‌ ପଟେଲ ୫ ରନକରି ଆଉଟ ହେବାରୁ ପଶ୍ଚିମାଞ୍ଚଳ ସ୍କୋର ୩୨.୫ ଓଭର ବେଳକୁ ୬୫/୫ ହୋଇ ଯାଇଥିଲା। ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରା ମଧ୍ୟ ଅଧିକ ସମୟ ତିଷ୍ଠି ନ ପାରି ୨୮ ରନରେ ପ୍ୟାଭିଲିୟନ ଫେରିଥିଲେ। ଏକମାତ୍ର ଅର୍ଦ୍ଧଶତକ ହାସଲ କରିଥିବା ଅତିତ ୭୮ ଓ ଧମେନ୍ଦ୍ରସିନ୍‌ ଜାଡେଜା ୩୯ ରନ କରିବାରୁ ଦଳ ୨୦୦ ରନ ସ୍ପର୍ଶ କରି ପାରିଥିଲା। ଷ୍ଟମ୍ପ୍ସ ପ୍ରତ୍ୟାହାର ହେବା ବେଳକୁ ଚିନ୍ତନ ଗାଜା ୧୩ ଓ ଅର୍ଜନ ନାଗ୍ବାସ୍ବାଲା ୫ ରନକରି ଅପରାଜିତ ରହିଥିଲେ। କେନ୍ଦ୍ରାଞ୍ଚଳ ବୋଲରଙ୍କ ମଧ୍ୟରେ ମାଭି ୪ଟି ଏବଂ ଆଭେଶ ଖାଁ, ୟଶ୍‌ ଠାକୁର, ସୌରଭ କୁମାର ଓ ସାରାଂଶ ଜୈନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଓଭରକାଷ୍ଟ କଣ୍ଡିଶନରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ମଧ୍ୟ ପଶ୍ଚିମାଞ୍ଚଳର ବ୍ୟାଟିଂ ବିପର୍ଯ୍ୟୟର ଅନ୍ୟତମ କାରଣ ବୋଲି ବିବେଚନା କରାଯାଉଛି।
ସଂକ୍ଷିପ୍ତ ସ୍କୋର
ପଶ୍ଚିମାଞ୍ଚଳ ପ୍ରଥମ ଇନିଂସ: ୨୧୬/୮ (ଅତିତ ସେଠ୍‌-୭୪, ଧର୍ମେନ୍ଦ୍ରସିନ୍‌ ଜାଡେଜା-୩୯, ଶିବମ୍‌ ମାଭି-୪/୪୩, ଆଭେଶ ଖାଁ-୧/୨୬, ୟଶ୍‌ ଠାକୁର-୧/୫୦, ସୌରଭ କୁମାର-୧/୬୪, ସାରାଂଶ ଜୈନ-୧/୨୯)।

 

Share