ନୂଆଦିଲ୍ଲୀ,୨୯ା୧୧(ପି.ଟି.): ଦୀର୍ଘଦିନ ଧରି ଜାରି ରହିଥିବା ଭାରତୀୟ ରେସ୍ଲିଂ ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ବୁଧବାର ନିର୍ବାଚନ ତାରିଖ ଘୋଷଣା ହେବ ବୋଲି କହିଛନ୍ତି ଆଇଓସି-ଆଡ୍ହକ ପ୍ୟାନେଲ ମୁଖ୍ୟ ଭୂପେନ୍ଦ୍ର ସିଂ ବାଜଓ୍ବା। ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇଛନ୍ତି। ଏହାଫଳରେ ନିର୍ବାଚନ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି। ରିଟର୍ନିଂ ଅଫିସରଙ୍କ ନିକଟରେ କୋର୍ଟଙ୍କ ଆଦେଶ ପହଞ୍ଚିଲେ ସେ ନିର୍ବାଚନ ତାରିଖ ଘୋଷଣା କରିବେ। ଫଳରେ ବୁଧବାର ହିଁ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଭୂପେନ୍ଦ୍ର କହିଛନ୍ତି । ମଙ୍ଗଳବାର ଜଷ୍ଟିସ୍ ଅଭୟ ଏସ୍ ଓକା ଓ ପଙ୍କଜ ମିଠଲଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ନେବା ସହ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଆଦେଶକୁ ଖାରଜ କରି ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଡବ୍ଲ୍ୟୁଏଫ୍ଆଇ ନିର୍ବାଚନ ଉପରେ ରୋକ୍ ଲଗାଇବା ପାଇଁ ଅକ୍ଟୋବର ୨୫ ତାରିଖରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାୟ ଦେଇଥିଲେ। ଏହାକୁ ବିରୋଧ କରି ଆଡ୍ହକ ପ୍ୟାନେଲ୍ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ମହିଳା ରେସ୍ଲରଙ୍କୁ ନିର୍ଯାତନା ଅଭିଯୋଗରେ ବ୍ରିଜଭୂଷଣ ଶରଣ ସିଂ ଓହରିବା ପରେ ନିର୍ବାଚନ ବିଳମ୍ବିତ ହୋଇଥିଲା।