Advertisement
Categories: ଖେଳ

ଅଗଷ୍ଟ ୧୨ରେ କୁସ୍ତି ମହାସଂଘ ନିର୍ବାଚନ

ନୂଆଦିଲ୍ଲୀ,୨୧।୭: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌)ର ନିର୍ବାଚନ ଅଗଷ୍ଟ ୧୨ରେ ହେବ ବୋଲି ଶୁକ୍ରବାର ଘୋଷଣା କରାଯାଇଛି। କିନ୍ତୁ ମହାରାଷ୍ଟ୍ର ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇପାରିବ ନାହିଁ ବୋଲି ରିଟର୍ନିଂ ଅଫିସର ଜଷ୍ଟିସ ଏମ୍‌.ଏମ୍‌ କୁମାର ସ୍ପଷ୍ଟ କରିଛନ୍ତି।

ଆଡହକ୍‌ ପ୍ୟାନେଲ ଜୁଲାଇ ୬ରେ ନିର୍ବାଚନ ତାରିଖ ଧାର୍ଯ୍ୟ କରିଥିଲା। ମାତ୍ର ଅଯୋଗ୍ୟ ଘୋଷିତ ମହାରାଷ୍ଟ୍ର, ହରିୟାଣା, ତେଲେଙ୍ଗାନା, ରାଜସ୍ଥାନ ଓ ହିମାଚଳ ପ୍ରଦେଶ ଆଦି ରାଜ୍ୟ ଆସୋସିଏଶନଗୁଡ଼ିକ ଏକ ଶୁଣାଣି ପାଇଁ ନିବେଦନ କରିଥିଲେ। ଯୁକ୍ତିଯୁକ୍ତ କାରଣ ନ ଥାଇ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବା ଦର୍ଶାଇଥିଲା। ଫଳତଃ ନିର୍ବାଚନ ଜୁଲାଇ ୧୧କୁ ଘୁଞ୍ଚାଇ ଦିଆଯାଇଥିଲା। ପ୍ୟାନେଲ ରାଜ୍ୟ ପରିଷଦଗୁଡ଼ିକର ପ୍ରତିନିଧିଙ୍କ କଥା ଶୁଣିଥିଲେ। ମାତ୍ର ଗୁଆହାଟୀ ହାଇକୋର୍ଟଙ୍କ ରହିତାଦେଶ ଯୋଗୁ ଜୁଲାଇ ୧୧ରେ ନିର୍ବାଚନ ହୋଇପାରି ନ ଥିଲା।

ଆସାମ ରେସଲିଂ ଆସୋସିଏଶନ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଯାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ମାତ୍ର ଗୁଆହାଟୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ କରି ସୁପ୍ରିମକୋର୍ଟ ନିର୍ବାଚନ ପାଇଁ ପଥ ପରିଷ୍କାର କରିଦେଇଥିଲେ। ବର୍ତ୍ତମାନ ୨୪ ରାଜ୍ୟ ଆସୋସିଏଶନ ସମେତ ୪୮ ସଦସ୍ୟ ବିଶିଷ୍ଟ ଇଲେକ୍ଟୋରାଲ କଲେଜର ଭୋଟିଂ ଅଧିକାର ପାଇବେ। ପଦବୀଗୁଡ଼ିକ ପାଇଁ ପ୍ରାର୍ଥୀପତ୍ର ଦାଖଲ ଅଗଷ୍ଟ ୧ରେ ହେବ। ପାର୍ଥୀପତ୍ର ଯାଞ୍ଚ ପରେ ପ୍ରାର୍ଥୀ ତାଲିକା ଅଗଷ୍ଟ ୭ରେ ପ୍ରକାଶ ପାଇବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel