ଶ୍ରୀଲଙ୍କାର ୬୦ ଲକ୍ଷରୁ ଅଧିକ ଭୋକିଲାଙ୍କ ପାଇଁ ୫୦୦ କୋଟି ସହାୟତା ଦାବି କଲା ଡବ୍ଲୁଏଫପି …

ଜେନେଭା/କଲମ୍ବୋ, ୨୩।୭ : ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ମୁଦ୍ରାସ୍ଫୀତି ଏତେ ବୃଦ୍ଧି ପାଇଛି ଯେ ଲୋକଙ୍କୁ ଦୁଇବେଳା ଖାଇବାକୁ ମିଳୁନି। ଦେଶରେ ୬୦ ଲକ୍ଷରୁ ଅଧିକ ଭୋକିଲାଙ୍କ ସମସ୍ୟାର ସମାଧାନ ପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି) ପକ୍ଷରୁ ୫୦୦ କୋଟି ଟଙ୍କାର ସହାୟତା ଦାବି କରାଯାଇଛି।

ଏହି ଆର୍ଥିକ ସହାୟତା ଦ୍ୱାରା ୩୦ ଲକ୍ଷ ଲୋକଙ୍କୁ ଖାଇବାକୁ ଖାଦ୍ୟ ଯୋଗାଇ ଦିଆଯିବ। ପରେ ଅନ୍ୟ ସହାୟତା ଦ୍ୱାରା ଅନ୍ୟ ଲୋକଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡବ୍ଲୁଏଫପି କହିଛି।

ଶ୍ରୀଲଙ୍କାର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଜାତୀୟ ମୁଖ୍ୟ ଅବଦୁର ରହିମ ସିଦ୍ଦିକି କହିଛନ୍ତି ଯେ ସ୍ବାଧୀନତା ପରଠାରୁ ଦେଶର ଅର୍ଥନୀତି ବର୍ତ୍ତମାନ ସବୁଠାରୁ ଖରାପ ଖାଦ୍ୟ ସଙ୍କଟ ଦେଇ ଗତି କରୁଛି ଏବଂ ଆସନ୍ତା କିଛି ମାସ ମଧ୍ୟରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଜୁନ ପର୍ଯ୍ୟନ୍ତ ଖାଦ୍ୟ ମୁଦ୍ରାସ୍ଫୀତି ହାର ୮୦ ପ୍ରତିଶତରୁ ଅଧିକ ଥିଲା। ଆସନ୍ତା ମାସରେ ଏହି ଧାରା ବୃଦ୍ଧି ପାଇବାର ଅନୁମାନ କରାଯାଉଛି।

ଏକ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ଜନସଂଖ୍ୟାର ଏକ ଚତୁର୍ଥାଂଶ ଅର୍ଥାତ୍‌ ପ୍ରାୟ ୫୩ ଲକ୍ଷ ଲୋକ ଖାଦ୍ୟ ଖାଇବା କମାଇ ସାରିଛନ୍ତି। ସେମାନେ ଦିନକୁ ଥରେ ଭୋଜନ କରୁଛନ୍ତି।

 

Share