କରୋନା ଦ୍ୱିତୀୟ ଲହରରେ ପ୍ରଭାବିତ ହେଉଛନ୍ତି ଶିଶୁ: ଜାଣନ୍ତୁ କିଭଳି ଥାଏ ଲକ୍ଷଣ; ରହିବେ ସତର୍କ

ନୂଆଦିଲ୍ଲୀ,୧୨।୫: କୋଭିଡ ୧୯ର ଚିକିତ୍ସା କରୁଥିବା ଡାକ୍ତରମାନେ ମହାମାରୀର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏହି ମହାମାରୀ ଏବେ ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରୁଥିବା ଦେଖାଯାଉଛି। ବିଶେଷକରି ପିଲାଙ୍କ ଦେହରେ ଦୀର୍ଘଦିନ ଧରି ଜ୍ୱର ଏବଂ ଅନ୍ୟ ଲକ୍ଷଣ ଦେଖାଯାଉଥିବା ଡାକ୍ତରମାନେ କହିଛନ୍ତି। ଆସନ୍ତୁ ଜାଣିବା:

ଶିଶୁଙ୍କ ଦେହରେ କୋଭିଡର ଲକ୍ଷଣ:

-ଜ୍ୱର: ହାଲକା ଏବଂ ଲଗାତାର ଭାବେ ଜ୍ୱର ଆସିବା ସଂକ୍ରମଣର ସାଧାରଣ ଲକ୍ଷଣ। ବଡ଼ ମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ଲକ୍ଷଣ ଦେଖାଯାଇଥାଏ।

-ଥକାପଣ: ଥକ୍କା ଲାଗିବା ନଚେତ ଦେହ ଅବଶ ପରି ଲାଗିବା ମଧ୍ୟ କରୋନାର ଅନ୍ୟ ସଙ୍କେତ। କୋଭିଡରେ ସଂକ୍ରମିତ ହେଲେ ପିଲାଙ୍କ ଦେହରେ ଏଭଳି ଲକ୍ଷଣ ଦେଖାଯାଇଥାଏ। ଏବେ ମଧ୍ୟରେ ସଂକ୍ରମିତ ୫୫% ଶିଶୁଙ୍କୁ ଏଭଳି ଲାଗୁଥିବା ଦେଖାଯାଇଛି।

-ମୁଣ୍ଡବିନ୍ଧା: ଏହା କରୋନାର ପ୍ରାରମ୍ଭିକ ଲକ୍ଷଣ ନ ହେଲେ ବି ୧୪% ବୟସ୍କଙ୍କ କ୍ଷେତ୍ରରେ ଏହା ଦେଖାଯାଇଛି। ଶିଶୁମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ସାଧାରଣ ଲକ୍ଷଣ ମଧ୍ୟରୁ ଗୋଟିଏ ହୋଇପାରେ।

-ପତଳା ଝାଡ଼ା/ବାନ୍ତି: କୋଭିଡ ସଂକ୍ରମିତ ଶିଶୁଙ୍କ ଦେହରେ ଏଭଳି ଲକ୍ଷଣ ଦେଖାଯାଇପାରେ।

-ପେଟ ବିନ୍ଧା- କୋଭିଡର ଗେଷ୍ଟ୍ରୋଇଣ୍ଟେଷ୍ଟାଇନାଲ ଲକ୍ଷଣ ଦ୍ୱିତୀୟ ଲହରରେ ଅନେକ ଶିଶୁଙ୍କଠାରେ ଦେଖିବାକୁ ମିଳୁଛି। ପେଟରେ ଯନ୍ତ୍ରଣା, ଓଜନିଆ ଲାଗିବା ଭଳି ସଙ୍କେତ ଆସିଲେ ଶିଶୁଟି ଏହି ସମସ୍ୟାରେ ପୀଡ଼ିତ ବୋଲି ସ୍ପଷ୍ଟ ହୋଇଯାଆନ୍ତୁ।

-ତ୍ୱଚାରେ ଆଲର୍ଜି ଭଳି ନଜର ଆସିବା, ଲାଲ ରଙ୍ଗର ଦାଗ ଆଦି ଲକ୍ଷଣ ଦେଖାଯାଇପାରେ।

ଉପଚାର: ଶିଶୁଙ୍କୁ କୋଭିଡ ହେଲେ ତାର ଉପଚାର ଘରେ ହିଁ ହୋଇପାରିବ। କେବଳ ଗୁରୁତର ଆବଶ୍ୟକତା ଥିଲେ ତାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିପାରେ। ତେବେ ସଂକ୍ରମିତ ହୋଇଥିବା ଶିଶୁଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରନ୍ତୁ। ଗାଇଡ୍‌ଲାଇନ୍‌ ପାଳନ କରିବା ସହ ତାଙ୍କୁ ଅଧିକ ପାଣି ପିଇବାକୁ ପରାମର୍ଶ ଦିଅନ୍ତୁ।