କ’ଣ କରିପାରିବ ତାଇଓ୍ବାନ

ତାଇପେଇ, ୯ା୮: ସମ୍ପ୍ରତି ଚାଇନା-ତାଇଓ୍ବାନ ମଧ୍ୟରେ ଯୁଦ୍ଧଭଳି ସ୍ଥିତି ଉପୁଜିଥିବାବେଳେ ବେଜିଂ ଏହି ଦ୍ୱୀପରାଷ୍ଟ୍ରକୁ ଆକ୍ରମଣ କରିବା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ତାଇଓ୍ବାନ ଏହାର ୩ ସେନାକୁ ହାଇ ଆଲର୍ଟରେ ରଖିଛି। ରାଜଧାନୀ ତାଇପେଇ ସମେତ ଅନେକ ସହରରେ ଲୋକଙ୍କୁ ଯୁଦ୍ଧ କଳା ତାଲିମ ଦିଆଯାଉଛି। ବିଶେଷଜ୍ଞଙ୍କ ମତରେ ଚାଇନା ତାଇଓ୍ବାନ ଉପରେ ଆକ୍ରମଣ କଲେ ପ୍ରାୟ ୨୦ ଲକ୍ଷ ସକ୍ରିୟ ସୈନ୍ୟ ଆବଶ୍ୟକ ପଡ଼ିପାରେ। ଆକଳନ ଅନୁସାରେ ବେଜିଂ ନିକଟରେ ଏବେ ୨୦ ଲକ୍ଷ ସକ୍ରିୟ ସୈନ୍ୟ ରହିଛନ୍ତି। ତେଣୁ ଗୋଟିଏ ଯୁଦ୍ଧରେ ଚାଇନା ଏହାର ସମସ୍ତ ଆକ୍ଟିଭ୍‌ ସୈନ୍ୟଙ୍କୁ ମୁତୟନ କରିବାକୁ ଚାହିଁବ ନାହିଁ। କାରଣ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ମସ୍କୋର ସମ୍ପୂର୍ଣ୍ଣ ୟୁକ୍ରେନ୍‌ ଦଖଲ ସ୍ବପ୍ନ ଏକପ୍ରକାର ବିଫଳ ହୋଇସାରିଛି। ବିଶାଳ ଚାଇନା ସୈନ୍ୟଙ୍କ ତୁଳନାରେ ତାଇଓ୍ବାନର ସାମରିକ ଶକ୍ତି ବେଶ୍‌ ଛୋଟ। ସଦ୍ୟ ଆକଳନ ଅନୁସାରେ ଏହି ଦ୍ୱୀପ ରାଷ୍ଟ୍ରର ସକ୍ରିୟ ସୈନ୍ୟଙ୍କ ସଂଖ୍ୟା ମାତ୍ର ୧ ଲକ୍ଷ ୭୦ ହଜାର। ଯୁଦ୍ଧ ହେଲେ ଚାଇନାରେ ଆଉ ୬୦ କୋଟି ଲୋକ ସେନାରେ ଯୋଗ ଦେଇପାରିବେ। ହେଲେ ତାଇଓ୍ବାନ ମାତ୍ର ୧୦ ଲକ୍ଷ ଲୋକଙ୍କୁ ସେନାରେ ଭର୍ତ୍ତି କରାଇପାରିବ। ୨୦୦୮ରେ ଆମେରିକା ନାଭାଲ ଓ୍ବାର କଲେଜର ରିସର୍ଚ୍ଚ ପ୍ରଫେସରଙ୍କ ଦ୍ୱାରା ପ୍ରସ୍ତାବିତ ‘ପୋର୍‌କ୍ୟୁପାଇନ୍‌ ଡକ୍ଟରିନ୍‌’ ରଣନୀତି ତାଇଓ୍ବାନ ବାଛିପାରେ। ଏହା ଏପରି ଏକ ରଣନୀତି ଯେଉଁଠାରେ ସାମ୍‌ନାବାଲାଠାରୁ ଦୁର୍ବଳ ରାଷ୍ଟ୍ର ହେବାକୁ ଥିବା କ୍ଷୟକ୍ଷତି ରୋକିବା ପାଇଁ ପ୍ରସ୍ତୁତ କରିବା ସହ କମ୍‌ ସାମରିକ ବଳରେ ଶତ୍ରୁ ଦେଶକୁ ରୋକିପାରିବ। ଏଥିରେ ଛୋଟ ଦେଶ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିପାରିବ। ନିଜ ଗୋଇନ୍ଦାବିଭାଗକୁ ଶକ୍ତିଶାଳୀ କରିବା ସହ ସୁରକ୍ଷାବଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୁନିଶ୍ଚିତ କରିବା ଏହି ବ୍ୟବସ୍ଥାର ପ୍ରଥମ ପର୍ଯ୍ୟାୟ। ଆମେରିକାରୁ ଆସିଥିବା ଅତ୍ୟାଧୁନିକ ବାୟୁସେନା ବିମାନ ଯୋଗେ ସମୁଦ୍ରରେ ଚାଇନା ସେନାକୁ ତାଇଓ୍ବାନ ଟାର୍ଗେଟ କରିପାରିବ। ଏହାବାଦ୍‌ ତାଇଓ୍ବାନ ନିଜ ଭୌଗୋଳିକ ସ୍ଥିତି ଏବଂ ଜନସଂଖ୍ୟାକୁ ଦେଶ ସୁରକ୍ଷାରେ ଉପଯୋଗ କରିପାରିବ।

Share