
ନାଗପୁର,୪।୨: ବିରାଟ କୋହଲି କ୍ରିକେଟ ପଡ଼ିଆରେ ରନ ସଂଗ୍ରହ କରୁନାହାନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଗତ ବର୍ଷ ତାଙ୍କ ପାଇଁ ଭଲ ଚାଲି ନ ଥିଲା ଏବଂ ଏବେ ରଣଜୀ ଟ୍ରଫିରେ ସେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ବେଳେ ମାତ୍ର ୬ ରନ କରି ଆଉଟ ହୋଇଥିଲେ। ତାଙ୍କ ଫର୍ମରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲେ ମଧ୍ୟ ସମୟ କ୍ରମେ ତାଙ୍କ ଫିଟନେସ୍ରେ ଉନ୍ନତି ଘଟିଛି। ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କୋହଲି ଅଭ୍ୟାସ ସମୟରେ ନିଜର ଆବ୍ସ ଦେଖାଉଛନ୍ତି।
ବିରାଟ ନିଜର ଫିଟନେସ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଭାଇରାଲ ହୋଇଥିବା ଏହି ଫଟୋରେ ବିରାଟଙ୍କ ଆବ୍ସ ଦେଖିବାକୁ ମିଳୁଛି । ଏପରିକି ଟାଇଗର ଶ୍ରଫ ଓ ହ୍ରିତିକ ରୋଶନଙ୍କ ଭଳି ଅତ୍ୟନ୍ତ ଫିଟ ବଲିଉଡ କଳାକାର ମାନେ ମଧ୍ୟ ତାଙ୍କ ଫିଟନେସ ତୁଳନାରେ ଫିକା ଦେଖାଯାଉଛନ୍ତି।
ଗତ ସୋମବାର ଭାରତୀୟ ଦଳର ଖେଳାଳିମାନେ ନାଗପୁରରେ ପହଞ୍ଚିଥିଲେ, ଯେଉଁଠାରେ ସେମାନେ ଫେବୃଆରୀ ୬ରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛନ୍ତି। ବିରାଟ ୩୬ ବର୍ଷ ବୟସ ଅତିକ୍ରମ କରିଥିବାରୁ ପ୍ରଶଂସକମାନେ ତାଙ୍କ ଫିଟନେସ ବଜାୟ ରଖିବା ପାଇଁ ତାଙ୍କୁ ପ୍ରଶଂସା କରୁଛନ୍ତି।