ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା ହେଲା। ବୈଜ୍ଞାନିକଙ୍କ ମତରେ କୃତ୍ରିମ ବର୍ଷା କରାଇବା ଲାଗି ସେଠାରେ କରାଯାଇଥିବା କ୍ଳାଉଡ ସିଡିଂରେ କିଛି ତ୍ରୁଟି ଯୋଗୁ ଏଭଳି ଘଟିଲା। ତେବେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଏହି କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ।
କ୍ଲାଉଡ ସିଡିଂ, ଦୁଇଟି ଶବ୍ଦ କ୍ଲାଉଡ ଓ ସିଡିଂରେ ତିଆରି। କ୍ଲାଉଡର ଅର୍ଥ ମେଘ ଓ ସିଡିଂର ଅର୍ଥ ବୀଜ ଲଗାଇବା। ଅଜବ ଲାଗିଲେ ବି ମେଘ ବା ବାଦଲରେ ବର୍ଷାର ବୀଜ ବୁଣିବା ପ୍ରକ୍ରିୟା ହିଁ କ୍ଲାଉଡ ସିଡିଂ। ମେଘରୁ କୃତ୍ରିମ ଉପାୟରେ ବର୍ଷା କରିବା ପ୍ରକ୍ରିୟା ହେଉଛି କ୍ଲାଉଡ ସିଡିଂ। ଏଠାରେ ବୀଜ ରୂପରେ ସିଲ୍ଭର ଆୟୋଡାଇଡ, ପଟାସିୟମ କ୍ଲୋରାଇଡ ଓ ସୋଡିୟମ କ୍ଲୋରାଇଡ ଆଦି ବ୍ୟବହାର କରାଯାଏ। ଏହିସବୁ ପଦାର୍ଥକୁ ଏକ ଏୟାରକ୍ରାଫ୍ଟ ସାହାଯ୍ୟରେ ମେଘରେ ଛିଞ୍ଚା ଯାଇଥାଏ। ଏହି ପଦାର୍ଥଗୁଡିକ ବାଦଲରେ ଥିବା ଜଳୀୟ ଅଂଶକୁ ବରଫରେ ଜମେଇଦିଏ। ଏହାପରେ ଗୋଟେ ବରଫ ଖଣ୍ଡ ଅନ୍ୟ ବରଫ ଖଣ୍ଡ ସହ ଲାଖି ଯାଇ ବରଫର ଏକ ଗୁଚ୍ଛା ହେଇଯାଏ। ଯାହାକି ପରେ ବର୍ଷାର ରୂପ ନିଏ। ତେବେ ଯେଉଁ ଅଞ୍ଚଳରେ ମେଘ ନ ଥିବ ସେଠାରେ କ୍ଲାଉଡ ସିଡିଂ କରାଇବା ସମ୍ଭବ ନୁହେଁ। ଏଥିପାଇଁ ଆକାଶରେ ଅତିକମ୍ରେ ୪୦ ପ୍ରତିଶତ ବାଦଲ ଓ ସେଥିରେ କିଛିଟା ଜଳୀୟ ଅଂଶ ବି ଥିବା ଜରୁରୀ। ଯଦି ବାଦଲରେ ପାଣି କମ୍ ଥିବ ଆର୍ଦତା ନ ଥିବ ତେବେ ବି ବର୍ଷା ହୋଇପାରିବ ନାହିଁ।
ଏହାବାଦ ମେଘ କେତେ ଉଚ୍ଚତାରେ ଅଛି ମେଘ ଓ ପାଣିପାଗର ସ୍ଥିତି କେମିତି ଅଛି ବି ଦେଖିବାକୁ ହୁଏ। ସବୁକିଛି ଠିକ୍ ଥିଲେ ମେଘର ଉପଯୁକ୍ତ ସ୍ଥାନରେ ସିଲ୍ଭର୍ ଆୟୋଡାଇଡ୍ କିମ୍ବା ଅନ୍ୟ ରସାୟନକୁ ଏୟାରକ୍ରାଫ୍ଟ ସାହାଯ୍ୟରେ ସିଞ୍ଚନ କରାଯାଏ।
ଏହାବାଦ ମେଘକୁ ଇଲେକ୍ଟ୍ରିକ୍ ସକ୍ ଦେବାର ବି ଏକ ପଦ୍ଧତି ଅଛି ଯାହାକୁ ବ୍ୟବହାର କରି ମଧ୍ୟ ବର୍ଷା କରାଯାଉଛି। ଇସ୍ରାଇଲ ସାଧାରଣତଃ କୃତ୍ରିମ ବର୍ଷା କରାଇଥାଏ। କାରଣ ଏଠାରେ ପ୍ରାକୃତିକ ବର୍ଷା ବହୁତ କମ୍ ହୁଏ। ଆଜିକାଲି ୟୁଏଇ ଏହା ମାଧ୍ୟମରେ ବର୍ଷା କରାଉଛି। ଚାଇନା ୨୦୦୮ ମସିହା ବେଜିଂ ଅଲିମ୍ପିକ ସମୟରେ କ୍ଲାଉଡ ସିଡିଂ ମାଧ୍ୟମରେ ବର୍ଷା କରାଇ ପ୍ରଦୂଷଣକୁ ନିୟନ୍ତ୍ରିତ କରିବାରେ ସଫଳ ହୋଇଥିଲା। ୨୦୧୭ ମସିହାରେ ସଂଯୁକ୍ତ ରାଷ୍ଟ୍ର ଆମେରିକାର ପାଣିପାଗ ବିଭାଗ କରିଥିବା ଅଧ୍ୟୟନ କହେ- ୫୦ରୁ ଅଧିକ ଦେଶ କ୍ଲାଉଡ ସିଡିଂ ପଦ୍ଧତି ଆପଣେଇ ସାରିଲେଣି। ଯେଉଁଥିରେ ଅଷ୍ଟ୍ରେଲିଆ, ଜାପାନ, ଇଥିଓପିଆ, ଚିନ, ଆମେରିକା, ଜିମ୍ବାଓ୍ବେ, ରୁଷ ସହ ଭାରତ ବି ସାମିଲ ଅଛି।