କୋଲକାତା,୮।୯: କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ପରେ ର୍ନିଦ୍ଦୟ ଭାବେ ହତ୍ୟା ମାମଲା ଦେଶକୁ ଚକିତ କରିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଧରାପଡିଛନ୍ତି, କିନ୍ତୁ ବର୍ତ୍ତମାନ ସେ ସିବିଆଇକୁ କହିଛନ୍ତି ଯେ ସେ ମହିଳା ଡାକ୍ତରଙ୍କ ବଳାତ୍କାର କରି ନାହାନ୍ତି କି ହତ୍ୟା ବି କରି ନାହାନ୍ତି। ଏହି ଲେଡି ଡାକ୍ତରଙ୍କ ମାତାପିତା ସେମାନଙ୍କ ଝିଅର ମୃତ୍ୟୁକୁ ନେଇ ହତବାକ ହୋଇ ରହିଛନ୍ତି। ସେମାନେ କହିଛନ୍ତି ଝିଅ ବହୁତ ଆଶାବାଦୀ ଥିଲେ ଏବଂ ତାଙ୍କର ଲକ୍ଷ୍ୟ ଥିଲା ମେଡିକାଲ କ୍ଷେତ୍ରରେ ସ୍ବର୍ଣ୍ଣ ପଦକ ଆଣିବା। ସେ ଆର.ଜି କର ହସ୍ପିଟାଲରେ କଠିନ ପରିଶ୍ରମ କରୁଥିଲେ। ତାଙ୍କ ମାତାପିତା ଆଶା କରିଥିଲେ ଯେ ସେ ୩୬ଘଣ୍ଟିଆ ଶିଫ୍ଟ ପରେ ଅଗଷ୍ଟ ୯ରେ ବହୁତ ବିଳମ୍ବରେ ଘରକୁ ଆସିବେ । ସେ ନିଶ୍ଚିତ ଭାବରେ ଫେରି ଆସିବେ, କିନ୍ତୁ ସେ ଫେରିଥିଲେ ସତ ହେଲେ ଏକ କପଡାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁଡାଇ ହୋଇ।
ହସ୍ପିଟାଲରେ ଥିବା ତାଙ୍କର ସହଯୋଗୀ ଡାକ୍ତରମାନେ ଘଟଣାର ରାତି ପୂର୍ବରୁ ପୁରା କାହାଣୀ କହିଛନ୍ତି। ସେ କହିଛନ୍ତି ଯେ ୧୬ ଘଣ୍ଟା ନିରନ୍ତର ଡ୍ୟୁଟି ପରେ ସେ ସେମିନାର ରୁମକୁ କିଛି ସମୟ ବିଶ୍ରାମ ନେବାକୁ ଯାଇଥିଲେ। ସେହି ସ୍ଥାନଟି ରାତିରେ ସମ୍ପୂର୍ଣ୍ଣ ଖାଲି ରହିଥାଏ, ଯେଉଁଠାକୁ କେହି ଯାଆସ କରନ୍ତି ନାହିଁ। ସେ କହିଥିଲେ ଯେ ସେ ଶାନ୍ତିରେ ଚପଚାପ ଅଧ୍ୟୟନ କରିବା ପାଇଁ ଅନେକ ଥର ସେଠାକୁ ଯାଉଥିଲେ, କିନ୍ତୁ ଏଥର ତାଙ୍କ ଉପରେ ଏକ କୁଦୃଷ୍ଟି ପଡିଥିଲା। ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଆର.ଜି କର ହସ୍ପିଟାଲର ସମାନ ସେମିନାରୀରେ ମିଳିଥିଲା, ଯେଉଁଠାରେ ତାଙ୍କୁ ବଳାତ୍କାର କରାଯାଇଥିଲା ଏବଂ ପରେ ଅତି ର୍ନିମମ ଭାବରେ ହତ୍ୟା କରାଯାଇଥିଲା।
ନିଜର ଲମ୍ବା ଡ୍ୟୁଟି ପାଇଁ ପ୍ରସ୍ତୁତ ଏହି ୩୧ ବର୍ଷ ବୟସ୍କା ଟ୍ରେନି ଡାକ୍ତର ଅଗଷ୍ଟ ୮ରେ ସକାଳ ୧୦ଟାରେ ଆର.ଜି କର ହସ୍ପିଟାଲରଓପିଡିରେ ପହଞ୍ଚିଥିଲେ। ସେ ପ୍ରଥମେ କ୍ୟାମ୍ପସରେ ହଷ୍ଟେଲରେ ରହୁଥିଲେ, କିନ୍ତୁ ତା’ପରେ ସେ ପ୍ରାୟ ଏକ ବର୍ଷ ଧରି ନିଜ ମାତାପିତାଙ୍କ ସହିତ ଘରେ ରହୁଥିଲେ ଏବଂ ପ୍ରାୟ ୧୪କିଲୋମିଟର ବାଟ ଯାଆସ କରୁଥିଲେ।
ତାଙ୍କ ସହିତ ଆରଜି ହସ୍ପିଟାଲରେ କାମ କରୁଥିବା ଜଣେ ଡାକ୍ତର କହିଛନ୍ତି, ଯେତେବେଳେ ସେ ହସ୍ପିଟାଲରେ ପ୍ରବେଶ କଲେ, ଓପିଡିରେ ରୋଗୀମାନଙ୍କ ଭିଡ଼ ହୋଇଥିଲା ଏବଂ ସେ ସଙ୍ଗେ ସଙ୍ଗେ କାମ ଆରମ୍ଭ କଲେ। ସେ ୬ଜଣ ରୋଗୀଙ୍କୁ ଆଡମିଟ କରିଥିଲେ ଏବଂ ଚା’ ପିଇବାର କିଛି ସମୟ ବ୍ୟତୀତ ବିଶ୍ରାମ ନେବାକୁ ତାଙ୍କ ନିକଟରେ ସମୟ ନଥିଲା।
ଶ୍ୱାସ ବିଭାଗର ଓପିଡିରେ ଜଣେ ରେସିଡେଣ୍ଟ ମେଡିକାଲ ଅଫିସର, ଜଣେ ବରିଷ୍ଠ ରେସିଡେଣ୍ଟ ଡାକ୍ତର, ଜଣେ ଅଧ୍ୟାପିକା ଏବଂ ଇଣ୍ଟର୍ନ ଏବଂ ହାଉସ ଷ୍ଟାଫ ରହିଥିଲେ। ସେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମାନ ଓପିଡିରେ କାମ ଜାରି ରଖିଥିଲେ। ଏହା ପରେ ସେ ୱାର୍ଡରେ ଯୋଗ ଦେଇଥିଲେ। ତାଙ୍କ ଟିମ୍ ମଧ୍ୟାହ୍ନ ଭୋଜନ ଅର୍ଡର କରିଥିଲେ ଏବଂ ସେ ବିଳମ୍ବରେ ଆସିଥିବାରୁ ସେମାନେ ତାଙ୍କ ଖାଦ୍ୟକୁ ଅଲଗା ରଖିଥିଲେ।
ଜଣେ ତୃତୀୟ ବର୍ଷର ପ୍ରଶିକ୍ଷକ ଡାକ୍ତର କହିଛନ୍ତି, ‘ସେ ଅପରାହ୍ନ ୩ଟା ପରେ ଆସିଥିଲେ ଏବଂ ସଂଲଗ୍ନ’ ଶୋଇବା କୋଠରୀ’ରେ ଆମେ ଖାଉଥିଲୁ ଯେଉଁଠାରେ ଆମେ ସାଧାରଣତଃ ଖାଇଥାଉ। ସେ ଟିକିଏ ଲାଜୁଆ ଥିଲେ, କିନ୍ତୁ ବହୁତ ସିରିୟସ ଥିଲେ। ଜଣେ ବରିଷ୍ଠ ଅଧ୍ୟାପକ ଏବଂ ମୁଁ ରାତି ପ୍ରାୟ ୪ଟା ୩୦ରେ କୌଣସି ରୋଗୀର ଅବସ୍ଥା ଖରାପ ହେଲେ ତାଙ୍କୁ ଡାକିବାକୁ କହି ଚାଲି ଯାଇଥିଲୁ। କିନ୍ତୁ ତାଙ୍କ କଲ୍ ତ ଆସିଲା ନାହିଁ ଏବଂ ପରଦିନ ସକାଳେ ମୁଁ ତାଙ୍କ ଭୟଙ୍କର ମୃତ୍ୟୁ ବିଷୟରେ ଜାଣିଲି।