Categories: ଖେଳ

ଭାରତ-ଦକ୍ଷିଣ ଆଫ୍ରିକା ମହାମୁକାବିଲା ଟାଇ ହୋଇଗଲେ କିଭଳି ହେବ ବିଜେତା ଚୟନ? ଜାଣନ୍ତୁ ନିୟମ…

ବାର୍ବାଡୋସ୍‌,୨୯।୬: ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଶନିବାର ଏଠାରେ ଟି୨୦ ବିଶ୍ୱକପ୍‌ ଫାଇନାଲ ଖେଳିବ। ପ୍ରଥମ ଥର ଫାଇନାଲ ଖେଳୁଥିବା ଦକ୍ଷିଣ ଆଫ୍ରିକା ସହ ଦଳ ଭେଟିବାକୁ ଯାଉଥିବାରୁୁ ମ୍ୟାଚ୍‌ଟି ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଭାରତୀୟ ସମୟାନୁସାରେ ସନ୍ଧ୍ୟା ୮ଟାରୁ ଏହା ଆରମ୍ଭ ହେବ। ମ୍ୟାଚ୍‌ରେ ବର୍ଷା ହେବାର ସମ୍ଭାବନା ଥିବାରୁ ରିଜର୍ଭ ଡେ’ ମଧ୍ୟ ରଖାଯାଇଛି। ଏଣୁ ଆଇସିସି ଶନିବାର ଖେଳ ସମାପ୍ତ କରିବାର ଚେଷ୍ଟା କରିବ। ଯଦି ମ୍ୟାଚ୍‌ ପ୍ରଥମ ଦିନ ଶେଷ ହୋଇପାରିଲା ନାହିଁ ତେବେ ଏହା ରିଜର୍ଭ ଡେ’ରେ ଖେଳାଯିବ। ବର୍ଷା ଯୋଗୁ ମ୍ୟାଚ୍‌ ରଦ୍ଦ ହୋଇଗଲେ ଭାରତ ଏବଂ ଦକ୍ଷିଣ ଆଫ୍ରିକାକୁ ସଂଯୁକ୍ତ ବିଜେତା ଘୋଷଣା କରାଯିବ ଏବଂ ଉଭୟ ଟିମ୍‌ ଟ୍ରଫି ବାଣ୍ଟିନେବେ।

ଏହାଛଡ଼ା ଯଦି ମ୍ୟାଚ୍‌ଟି ଟାଇ ହୋଇଯାଏ ତେବେ କ’ଣ ହେବ ଆସନ୍ତୁ ଜାଣିବା। ଏଭଳି ଘଟିଲେ ବିଜେତା ଚୟନ ଲାଗି ସୁପର ଓଭର କରାଯିବ। ଉଭୟ ଟିମ୍‌ରୁ କେହି ସ୍ପଷ୍ଟ ବିଜେତା ନ ବାହାରିବା ଯାଏ ସୁପର ଓଭର ଖେଳାଯିବ। ଟାଇରେ ମ୍ୟାଚ୍‌କୁ ଶେଷ କରାଯିବ ନାହିଁ। ଶେଷ ବେଳକୁ ବିଜେତା ସ୍ପଷ୍ଟ ମିଳିଯିବ।

ପ୍ରକାଶ ଯେ, ଭାରତ ୨୦୦୭ରେ ଟି୨୦ ବିଶ୍ୱକପ୍‌ ଚାମ୍ପିୟନ ହୋଇଥିଲା। ଫାଇନାଲରେ ଦଳ ପାକିସ୍ତାନକୁ ହରାଇଥିଲା। ଏହି ଟୁର୍ନାମେଣ୍ଟ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା।

Share