Categories: ଜାତୀୟ

CAA କ’ଣ? ଏହା ଲାଗୁ ହେବା ଯୋଗୁ କିଏ ହେବେ ପ୍ରଭାବିତ; ଜାଣନ୍ତୁ ସମସ୍ତ ସୂଚନା…

ନୂଆଦିଲ୍ଲୀ,୧୦।୨: CAAକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ବଡ଼ ଘୋଷଣା କରିଛନ୍ତି। ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଏହାକୁ ଭାରତରେ ଲାଗୁ କରାଯିବ ବୋଲି ସେ କହିଛନ୍ତି। ଏମିତିରେ ଦେଶବାସୀଙ୍କ ମନରେ ପ୍ରଶ୍ନ ଉଠୁଛି ଯେ CAA କିଭଳି ଲାଗୁ ହେବ? ଏହାର ପ୍ରଭାବ କାହା ଉପରେ ପଡ଼ିବ?

୨୦୧୯ ଡିସେମ୍ବରରେ CAAକୁ ସଂସଦରେ ମଞ୍ଜୁରି ମିଳିଥିଲା। କହିବାକୁ ଚାହିଁବୁ ଏହା ଭାରତୀୟ ନାଗରିକଙ୍କ ଉପରେ ଲାଗୁ ହେବ ନାହିଁ। ଯେଉଁମାନଙ୍କୁ ଧର୍ମକୁ ନେଇ ଉତ୍ପୀଡ଼ନର ଶିକାର ହେବା ପରେ ଭାରତରେ ଶରଣ ନେବାକୁ ବାଧ୍ୟ କରାଯାଇଛି ତାଙ୍କ ଉପରେ ଏହି ଆଇନ ଲାଗୁ ହେବ।

CAAର ଉଦ୍ଦେଶ୍ୟ ଆଫଗାନିସ୍ତାନ, ପାକିସ୍ତାନ, ବାଲାଂଦେଶରୁ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଆସିଥିବା ୬ ଅଳ୍ପସଂଖ୍ୟକ(ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ୍‌, ଜୈନ, ବୌଦ୍ଧ ଏବଂ ପାର୍‌ସୀ)ମାନଙ୍କୁ ଭାରତର ନାଗରିକତା ପ୍ରଦାନ କରିବା। ଏଥିଲାଗି ୩ ଦେଶରୁ ଆସିଥିବା ବିସ୍ଥାପିତମାନଙ୍କୁ କୌଣସି ଦସ୍ତାବିଜ ଦେବାର ଆବଶ୍ୟକତା ମଧ୍ୟ ନାହିଁ।

ପୂର୍ବରୁ ପ୍ରବାସୀ ନାଗରିକଙ୍କୁ ନାଗରିକତା ପ୍ରଦାନ କରିବା ଲାଗି ଆବେଦନ କରିବା ଲାଗି ୧୧ ବର୍ଷ ଭାରତରେ ରହିବା ଆବଶ୍ୟକ ଥିଲା। ଏବେ CAA ଯୋଗୁ ଏହି ଅବଧିକୁ କମାଇ ୬ ବର୍ଷ କରିଦିଆଯାଇଛି। ଏଥିରେ କୌଣସି ସମୁଦାୟର ନାଗରିକଙ୍କଠାରୁ ନାଗରିକତା ନେବାର ପ୍ରାବଧାନ ନାହିଁ।

ପ୍ରକାଶ ଯେ, ୨୦୧୯ରେ CAA ସଂସଦରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିଲା। ଏହାପରେ ଦେଶର କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।

Share