Categories: ଖେଳ

କ୍ରସ୍‌ ଓଭର କ’ଣ

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି):ଚଳିତ ହକି ବିଶ୍ୱକପ୍‌ର ଗ୍ରୁପ୍‌ ‘ସି’ ଓ ‘ଡି’ର ଲିଗ୍‌ ପର୍ଯ୍ୟାୟ ଗୁରୁବାର ଶେଷ ହୋଇଛି। ଏହି ଦୁଇ ଗ୍ରୁପ୍‌ରେ ଶୀର୍ଷସ୍ଥାନ ଅଧିକାର କରି ଯଥାକ୍ରମେ ନେଦରଲାଣ୍ଡ୍ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୨ୟ ଓ ୩ୟ ସ୍ଥାନୀୟ ଦଳ କ୍ରସ୍‌ ଓଭର ମଧ୍ୟଦେଇ କ୍ୱାର୍ଟର ଫାଇନାଲକୁ ଯୋଗ୍ୟତା ପାଇବେ। କ୍ରସ୍‌ ଓଭର କ’ଣ ଏହାକୁ ନେଇ ଅନେକଙ୍କ ମନରେ ଉତ୍ସୁକତା ପ୍ରକାଶ ପାଇଛି। ନିୟମ ଅନୁସାରେ ୪ଟି ଯାକ ଗ୍ରୁପ୍‌ର ଶ୍ରେଷ୍ଠ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। ଅବଶିଷ୍ଟ ୪ଟି କ୍ୱାର୍ଟର ଫାଇନାଲ ସ୍ଥାନ ପାଇଁ କ୍ରସ୍‌ ଓଭର ମ୍ୟାଚ ଖେଳାଯିବ। ଅର୍ଥାତ୍‌ ୪ ଗ୍ରୁପ୍‌ର ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବା ୮ ଦଳ ମଧ୍ୟରେ କ୍ରସ୍‌ ଓଭର ଅନୁଷ୍ଠିତ ହେବ। ଉଦାହରଣ ସ୍ବରୂପ ଗ୍ରୁପ୍‌ ‘ଡି’ରେ ଭାରତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ତେଣୁ ଗ୍ରୁପ୍‌ ‘ସି’ର ତୃତୀୟ ସ୍ଥାନୀୟ ଦଳ ନ୍ୟୁଜିଲାଣ୍ଡକୁ ଯେଉଁ ମ୍ୟାଚରେ ଭେଟିବ ତାକୁ କ୍ରସ୍‌ ଓଭର କୁହାଯିବ। ଏହି ମ୍ୟାଚର ବିଜେତା କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇବ। ସେହିପରି ଗ୍ରୁପ୍‌ ‘ସି’ର ୨ୟ ଓ ଗ୍ରୁପ୍‌ ‘ଡି’ର ୩ୟ, ଗ୍ରୁପ୍‌ ‘ଏ’ର ୨ୟ ଓ ଗ୍ରୁପ୍‌ ‘ବି’ର ୩ୟ ଏବଂ ଗ୍ରୁପ୍‌ ‘ଏ’ର ୩ୟ ଓ ଗ୍ରୁପ୍‌ ‘ବି’ର ୨ୟ ଦଳ ମଧ୍ୟରେ କ୍ରସ୍‌ ଓଭର ମ୍ୟାଚ ହୋଇ ଅବଶିଷ୍ଟ କ୍ୱାର୍ଟର ଫାଇନାଲ ସ୍ଥାନ ପୂରଣ ହେବ। ଏହି କ୍ରମରେ ସ୍ପେନ୍‌ ଓ ମାଲେସିଆ ମଧ୍ୟରେ କ୍ରସ୍‌ ଓଭର ମ୍ୟାଚ ଅନୁଷ୍ଠିତ ହେବ। ଏହି କ୍ରସ୍‌ ଓଭର ମ୍ୟାଚ ୨ଟି ୨୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଗ୍ରୁପ୍‌ ‘ଏ’ ଓ ଗ୍ରୁପ୍‌ ‘ବି’ର ଶେଷ ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହେବ। ଏହାପରେ ଆଉ କେଉଁ ୨ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ଯିବ ଏବଂ କେଉଁ ୪ଟି ଦଳ କ୍ରସ୍‌ ଓଭର ଖେଳିବେ ତାହା ଚୂଡ଼ାନ୍ତ ହେବ।

Share