Categories: ଜାତୀୟ

ଅନାସ୍ଥା ପ୍ରସ୍ତାବ କ’ଣ? ଭାରତ ଇତିହାସରେ ଆସିଛି ୨୭ଟି ଅନାସ୍ଥା ପ୍ରସ୍ତାବ, ସବୁଠାରୁ ଅଧିକ ସାମ୍ନା କରିଛନ୍ତି ଇନ୍ଦିରା ଗାନ୍ଧୀ

ନୂଆଦିଲ୍ଲୀ,୨୬।୭: ମଣିପୁର ଯୌନ ହିଂସାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ତେବେ ଏନେଇ ଆଜିକୁ ୬ଦିନ ଧରି ସଂସଦରେ ଅଚଳାବସ୍ଥା ଜାରି ରହିଛି। ଅଚଳାବସ୍ଥା ଯୋଗୁ ଗୃହ କାର୍ଯ୍ୟ ବଳି ପଡୁଛି। ପ୍ରତିଥର ଦୁଇ ଗୃହ ମୁଲତବୀ ପରେ ମୁଲତବୀ ହେଉଛି। ମଣିପୁର ହିଂସାକୁ ନେଇ ମୋଦି ସରକାର ମୁହଁ ଖୋଲୁ ନ ଥିବା ବେଳେ ବିରୋଧୀ ସରକାରଙ୍କ ବିରୋଧରେ ଏକ ଅନାସ୍ତା ପ୍ରସ୍ତାବ ଆଣିଛନ୍ତି। କଂଗ୍ରେସ ଦଳର ସଦସ୍ୟ ରଂଜନ ଗୋଗୋଇଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ ସଂସଦରେ ବିତର୍କ ପାଇଁ ଅନୁମୋଦନ ମିଳିଛି। ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ, ସମସ୍ତ ଦଳର ନେତାଙ୍କ ସହ କଥାବାର୍ତ୍ତା ହେବା ପରେ ସେ ଏହା ଉପରେ ଆଲୋଚନା ତାରିଖ ସମ୍ପର୍କରେ ସୂଚନା ଦେବେ।

ସଂସଦୀୟ ଗଣତନ୍ତ୍ରରେ, ନିର୍ବାଚିତ ସରକାର ସେହି ପର୍ଯ୍ୟନ୍ତ କ୍ଷମତାରେ ରହିପାରିବେ ଯେଉଁ ପର୍ଯ୍ୟନ୍ତି ନିର୍ବାଚିତ ସଦନ (ଲୋକସଭା) ସଂଖ୍ୟାଗରିଷ୍ଠତା ହାସଲ କରିଥିବେ। ଆମ ସମ୍ବିଧାନର ଧାରା ୭୫ (୩)ରେ ନିୟମ ରହିଛି ଯେ ମନ୍ତ୍ରୀ ପରିଷଦ ସାମୂହିକ ଭାବରେ ଲୋକସଭା ପାଇଁ ଉତ୍ତରଦାୟୀ ରୁହନ୍ତି। ଲୋକସଭାର ଯେକୌଣସି ସଦସ୍ୟ ଅନାସ୍ଥା ପ୍ରସ୍ତାବ ପାଇଁ ୫୦ ସାଂସଦଙ୍କ ସମର୍ଥନ ଜୁଟାଇ ନିଅନ୍ତି ତେବେ ସେ ଯେକୌଣସି ସମୟରେ ମନ୍ତ୍ରୀ ପରିଷଦ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିପାରିବେ। ତେବେ କୌଣସି ଅନାସ୍ଥା ପ୍ରସ୍ତାବ ମଞ୍ଜୁର ହେବା ପରେ ଏହାକୁ ସଂସଦରେ ଆଲୋଚନା କରାଯାଇଥାଏ। ଏହି ପ୍ରସ୍ତାବକୁ ସମର୍ଥନ କରୁଥିବା ସାଂସଦମାନେ ସରକାରଙ୍କ ତ୍ରୁଟିକୁ ସଂସଦରେ ଉଠାନ୍ତିି ଏବଂ ଟ୍ରେଜେରୀ ବେଞ୍ଚ ସେମାନଙ୍କ ଦ୍ୱାରା ଉଠାଯାଇଥିବା ସମସ୍ୟାର ଜବାବ ଦିଅନ୍ତି।

ତେବେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପରେ ମତଦାନ କରାଯାଏ। ଯଦି ଲୋକସଭାର ଅଧିକାଂଶ ସଦସ୍ୟ ସରକାର ସପକ୍ଷରେ ଭୋଟ ଦିଅନ୍ତି, ତେବେ ସରକାର କ୍ଷମତାରେ ରହିଥା’ନ୍ତି। ଅନ୍ୟପକ୍ଷେ, ଯଦି ଅଧିକାଂଶ ସାଂସଦ ଏହି ଅନାସ୍ଥା ପ୍ରସ୍ତାବକୁ ଭୋଟ ଦିଅନ୍ତି, ତେବେ ସରକାର ଭାଙ୍ଗି ଯାଇଥାଏ।

ଏଠାରେ କହି ରଖୁଛୁ, ଲୋକସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଆସିଥିଲା। ଲୋକସଭାରେ ଏନଡିଏର ସାଂସଦଙ୍କ ସଂଖ୍ୟା ୩୩୧ ଥିବାବେଳେ ବିରୋଧୀ ଆଇ.ଏନ,ଡି,ଆଇ.ଏ(ଇ.ଣ୍ଡି.ଆ) ପାଖରେ ୧୫୦ରୁ ବି କମ୍‌ ସାଂସଦ ଅଛନ୍ତି। ଯଦି ବିଆରଏସ, ଓ୍ବାଇଏସଆର କଂଗ୍ରେସ ଏବଂ ବିଜେଡିର ସାଂସଦ ପ୍ରସ୍ତାବ ସପକ୍ଷରେ ଆସନ୍ତି ଏହା ପରେ ମଧ୍ୟ ଏହି ସଂଖ୍ୟା ଏନଡିଏ ତୁଳନାରେ କମ ଅଟେ। ଏପରି ସ୍ଥିତିରେ, ଅନାସ୍ଥା ପ୍ରସ୍ତାବ ଆଣିବା ବିଫଳ ହୋଇପାରେ।

ଭାରତ ଇତିହାସରେ ଏପର୍ଯ୍ୟନ୍ତ ୨୭ଟି ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ମୋଦି ସରକାରଙ୍କ ବିରୋଧରେ ଶେଷ ଅନାସ୍ଥା ପ୍ରସ୍ତାବ ଜୁଲାଇ ୨୦୧୮ରେ ଅଣାଯାଇଥିଲା। ଏହି ପ୍ରସ୍ତାବ ମଧ୍ୟ ସେତେବେଳେ ବିଫଳ ହୋଇଥିଲା। ସେତେବେଳେ ଏନଡିଏ ୩୨୫ ଭୋଟ ପାଇଥିବାବେଳେ ବିରୋଧୀ୧୨୬ ଭୋଟ ପାଇଥିଲେ। ୧୯୬୩ ମସିହାରେ ପଣ୍ଡିତ ନେହେରୁଙ୍କ ବିରୋଧରେ ଦେଶରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ଏହି ପ୍ରସ୍ତାବକୁ ପ୍ରଜା ସୋସିଆଲଇଷ୍ଟ ପାର୍ଟି ନେତା ଆଚାର୍ଯ୍ୟ କୃପାଳିନୀ ଆଣିଥିଲେ। କିନ୍ତୁ ସେତେବେଳେ ମଧ୍ୟ ଏହା ବିଫଳ ହୋଇଥିଲା। ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ୧୫ଥର ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା ଏବଂ ସେ ପ୍ରତ୍ୟେକ ଥର ନିଜ ସରକାରକୁ ବଞ୍ଚାଇବାରେ ସଫଳ ହୋଇଥିଲେ।

 

Share