ଚୋକ୍‌ସିଙ୍କୁ ଭାରତ ଆଣିବା ଲାଗି କେତେ ଖର୍ଚ୍ଚ ହେବ

ନୂଆଦିଲ୍ଲୀ, ୩୧।୫: ପିଏନ୍‌ବି ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ଆଣିବା ପାଇଁ କାରିବିୟନ ଦେଶ ଆଣ୍ଟିଗୁଆକୁ ଭାରତ ପଠାଇଛି ବମ୍‌ବାରେଡର ଗ୍ଲୋବାଲ ୫୦୦୦ ଜେଟ୍‌। ଏହି ସ୍ବତନ୍ତ୍ର ବିମାନର ଉଡାଣ ଲାଗି ଘଣ୍ଟା ପିଛା ୮.୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଇଭେଟ୍‌ ଚାର୍ଟର କମ୍ପାନୀ ପକ୍ଷରୁ କୁହାଯାଇଛି।

ଆଣ୍ଟିଗୁଆରୁ ଭାରତ ଫେରିବା ପାଇଁ ଏହି ସ୍ବତନ୍ତ୍ର ବିମାନକୁ ୧୬ରୁ ୧୭ ଘଣ୍ଟା ଧରି ଉଡ଼ାଣ ଭରିବାକୁ ପଡ଼ିବ। ଏକ ପାଖିଆ ଯାତ୍ରା ପାଇଁ ୧.୩୫ରୁ ୧.୪୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥି ସହିତ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ମଧ୍ୟ ଅଛି। ଏହା ଛଡ଼ା ଯେଉଁ ଦେଶଗୁଡ଼ିକ ଉପର ଦେଇ ଏହି ବିମାନ ଆସିବ, ତାହାର ମଧ୍ୟ ଖର୍ଚ୍ଚ ଅଛି। ପ୍ରତ୍ୟେକ ଦେଶ ଉପରେ ଉଡାଣ ପାଇଁ ୫.୧୧ ଲକ୍ଷ ଟଙ୍କା ଏବଂ ଯାତ୍ରାବେଳେ ପ୍ରତ୍ୟେକ ଫୁଏଲ ଷ୍ଟପ୍‌ ଓ ପାର୍କିଂ ବାବଦକୁ ୧ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଏଥି ଯୋଗୁ ପୂରା ଯାତ୍ରା ଲାଗି ୨.୭ରୁ ୨.୮୬ କୋଟି ଟଙ୍କା ଖର୍ଚ୍ଚ ହେବ।

ୟାତ୍ରା ଓ୍ବେବସାଇଟ୍‌ ଅନୁଯାୟୀ, ଦିଲ୍ଲୀରୁ ଆଣ୍ଟିଗୁଆ ଯିବା ପାଇଁ ୫୨ ଘଣ୍ଟା ୨୭ ମିନିଟ୍‌ ଲାଗିଥାଏ। ଏହି ଯାତ୍ରାରେ ଦୁଇଟି ଷ୍ଟପେଜ ଅଛି। ପ୍ରଥମଟି ହେଲା ଦୋହରେ। ଏଠାରେ ଯାତ୍ରୀଙ୍କୁ ନ୍ୟୁୟର୍କ ଯିବା ପାଇଁ ଆମେରିକାନ ଏୟାରଲାଇନ୍ସ ଫ୍ଲାଇଟ୍‌କୁ ସାଢ଼େ ୧୨ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥାଏ। ପରେ ନ୍ୟୁୟର୍କରେ ଆଣ୍ଟିଗୁଆକୁ ନନ୍‌ ଷ୍ଟଫ୍‌ ଫ୍ଲାଇଟ୍‌ ପାଇଁ ୧୭ ଘଣ୍ଟା ୨୫ ମିନିଟ୍‌ ଅପେକ୍ଷା କରିବାକୁ ପଡ଼େ। ଉକ୍ତ ଫ୍ଲାଇଟ୍‌କୁ ଆଣ୍ଟିଗୁଆରେ ପହଞ୍ଚିବା ପାଇଁ ୪ ଘଣ୍ଟା ୧୭ ମିନିଟ୍‌ ଲାଗେ। ଏହି ଯାତ୍ରାରେ ଅନେକ ଷ୍ଟପଜ୍‌ ରହିଛି।

Share