ନୂଆଦିଲ୍ଲୀ,୧୦।୮: ସଂସଦର ଚଳିତ ମୌସୁମୀ ଅଧିବେଶନର ଶେଷ ଦିବସରେ ହଙ୍ଗାମା ଯୋଗୁ ଗୃହ ଅଚଳ ହୋଇ ପଡିଥିଲା। ଶେଷ ଦିବସରେ ଆଜି ରାଜ୍ୟ ସଭାରେ ସମାଜବାଦୀ ପାର୍ଟି ଏମପି ଜୟା ବଚ୍ଚନ ଓ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହୋଇଛି। ଜୟାଙ୍କୁ ସମର୍ଥନ କରି ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଏମପିମାନେ ରାଗ୍ୟ ସଭାରେ କକ୍ଷତ୍ୟାଗ କରିଛନ୍ତି। ତେବେ ଏହି ବିବାଦ ଭିତରେବିରୋଧୀଙ୍କ ବିଶୃଙ୍ଖଳାରେ ଅତିଷ୍ଠ ହୋଇ ଧନଖର ଗତକାଲି କିଛି ସମୟ ପାଇଁ ଆସନ ଛାଡି ଚାଲିଯାଇଥିଲେ ଏବଂ ପୁଣି ଫେରି ବିରୋଧୀଙ୍କୁ କଠୋର ଭାଷାରେ ସମାଲୋଚନା କରିଥିଲେ। ଏସବୁକୁ ନେଇ ଅଧ୍ୟକ୍ଷଙ୍କ ବିରୋଧରେ ବିରୋଧି ଇଣ୍ଡିଆ ମେଣ୍ଟ ଏକଜୁଟ ହୋଇଛନ୍ତି। ଧନକରଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ସଜବାଜ ହୋଇଛନ୍ତି।
ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ମହାଭିଯୋଗ ପ୍ରସ୍ତାବ ଏବଂ ଏକ ଅବିଶ୍ୱାସ ପ୍ରସ୍ତାବ ମଧ୍ୟରେ ପାର୍ଥକ୍ୟ କ’ଣ?
ମହାଭିଯୋଗ ଶବ୍ଦର ଅର୍ଥ ହେଉଛି ସେହି ପଦର ସମସ୍ତ କ୍ଷମତା ଏବଂ ଦାୟିତ୍ୱ ଧାରଣ କରିଥିବା ବ୍ୟକ୍ତିଙ୍କୁ ଅପସାରଣ କରିବାକୁ ଅନୁସରଣ କରାଯାଉଥିବା ପ୍ରକ୍ରିୟା। ସମ୍ବିଧାନର ଧାରା ୬୧, ୧୨୪ (୪), (୫), ୨୧୭ ଏବଂ ୨୧୮ ରେ ଏହା ଉଲ୍ଲେଖ କରାଯାଇଛି। ସମ୍ବିଧାନର ଉଲ୍ଲଂଘନ, ଅସଦାଚରଣ କିମ୍ବା ଅକ୍ଷମତା ପ୍ରମାଣିତ ହେଲେ ହିଁ ନିୟମ ଅନୁଯାୟୀ ସଂସଦର ଯେକୌଣସି ଗୃହରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇପାରିବ। ତେବେ ଏହାକୁ ଲୋକସଭାରେ ପାରିତ କରାଇବା ପାଇଁ ୧୦୦ ଏମପିଙ୍କଙ୍କ ଦସ୍ତଖତ ଆବଶ୍ୟକ ଥିବାବେଳେ ଏହାକୁ ରାଜ୍ୟ ସଭାରେ ପାରିତ କରିବାକୁ ୫୦ଜଣ ଏମପିଙ୍କ ଦସ୍ତଖତ ଆବଶ୍ୟକ।
ଯଦି ଲୋକସଭାରେ କୌଣସି ବିରୋଧୀ ଦଳ ଅନୁଭବ କରନ୍ତି ଯେ ଶାସକ ଦଳ କିମ୍ବା ସରକାର ଗୃହରେ ବିଶ୍ୱାସ ହରାଇଛନ୍ତି ଏବଂ ଦେଶରେ ସରକାରଙ୍କ ନୀତି ଭଲ ନୁହେଁ, ତେବେ ସେହି ସମୟରେ ଅବିଶ୍ୱାସ ପ୍ରସ୍ତାବ ଅଣାଯା ପାରିବ। ଏହାକୁ ନୋ କନଫିଡେନ୍ସନ ମୋଶନ ବା ଅବିଶ୍ୱାସ ପ୍ରସ୍ତାବ ମଧ୍ୟ କୁହାଯାଏ। ଯଦି ବିରୋଧୀଦଳ ଦାବି କରନ୍ତି ଯେ, ସରକାରଙ୍କ ସଂଖ୍ୟାଗରିଷ୍ଠତା ନାହିଁ, ଏଭଳି ପରିସ୍ଥିତିରେ ସରକାରଙ୍କୁ ଏହାକୁ ପ୍ରମାଣ କରିବାକୁ ପଡିବ। ଏହି ପ୍ରସ୍ତାବର ବ୍ୟବସ୍ଥା ସମ୍ବିଧାନର ଧାରା ୭୫ରେ କରାଯାଇଛି। ଏହା ଅନୁଯାୟୀ, ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ ନ କରି ପାରିଲେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟକୁ ଇସ୍ତଫା ଦେବାକୁ ପଡିବ।