ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଅଭିନେତା ଆୟୁଷ୍ମାନ ଖୁରାନା ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ବଲିଉଡରେ ଆୟୁଷ୍ମାନ ନିଜ ଅଭିନୟ ଜରିଆରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ନିକଟରେ ସେ ଫିଲ୍ମ ଡ୍ରିମ ଗାର୍ଲ-୨ରେ ମଧ୍ୟ ନିଖୁଳ ଅଭିନୟ କରିଛନ୍ତି। ଅଭିନୟ ଏବଂ ଗୀତ ଗାଇବା ସହିତ କବିତା ପ୍ରିୟ ଆୟୁଷ୍ମାନ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି ।
ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିବା ଆୟୁଷ୍ମାନଙ୍କ ବାପା ପି ଖୁରାନା ଜଣେ ପ୍ରସିଦ୍ଧ ଜ୍ୟୋତିଷ, ତାଙ୍କ ମା’ ଜଣେ ଗୃହିଣୀ। ଆୟୁଷ୍ମାନ ଇଂରାଜୀ ସାହିତ୍ୟରେ ଡିଗ୍ରୀ ହାସଲ କରିବା ସହିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ କମ୍ୟୁନିକେସନ ଷ୍ଟଡିଜରୁ ମାସ କମ୍ୟୁନିକେସନ୍ରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ପିତାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଆୟୁଷ୍ମାନ ଅଭିନୟ ଜଗତକୁ ଆସିଥିଲେ। ମୁମ୍ବାଇ ଆସି ବହୁ ସଂଘର୍ଷ କରିବା ପରେ ତାଙ୍କ କ୍ୟାରିୟର ଏମ୍‌ଟିଭିର ପ୍ରସିଦ୍ଧ ଶୋ’ ରୋଡିଜ ୨ରୁ ଆରମ୍ଭ ହୋଇଥିଲା। ପ୍ରଥମ ଶୋ’ର ବିଜେତା ଆୟୁଷ୍ମାନ ମଧ୍ୟ ଦିଲ୍ଲୀର ବିଗ ଏଫଏମରେ ଆରଜେ ଭାବରେ କାର୍ଯ୍ୟ କରିଛନ୍ତି।
ପରେ ଆୟୁଷ୍ମାନଙ୍କୁ ସୁଜିତ ସରକାରଙ୍କର ‘ବିକି ଡୋନର’ରେ ବ୍ରେକ ମିଳିଥିଲା। ଏହି ଫିଲ୍ମରେ ଅଭିନୟ ପାଇଁ ଆୟୁଷ୍ମାନ ଅନେକ ପୁରସ୍କାର ଜିତିଥିଲେ। ଏହା ପରେ ଆୟୁଷ୍ମାନ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଥିଲେ। ସେ ବଲିଉଡରେ ସଫଳତା ପାଇ ବହୁତ ରୋଜଗାର କରିଛନ୍ତି। ଆୟୁଷ୍ମାନଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୬୭ କୋଟି ଟଙ୍କା।
କୋଟି କୋଟି ଟଙ୍କାର ସମ୍ପତ୍ତି ସହିତ ଖୁରାନାଙ୍କର ଦାମୀ ଗାଡି ଅଛି । ସେ ତାଙ୍କ ପରିବାର ସହିତ ମୁମ୍ବାଇର ୭ ବଖରା ଭଡା ଘରେ ରହୁଛନ୍ତି। ଆୟୁଷ୍ମାନ ମଧ୍ୟ ପଞ୍ଚକୁଲାର ଏକ ବଡ ସମ୍ପତ୍ତିର ମାଲିକ, ଯାହାର ମୂଲ୍ୟ ପ୍ରାୟ ୯ କୋଟି ଟଙ୍କା। ଚଣ୍ଡିଗଡ଼ରେ ଖୁରାନାଙ୍କର ଏକ ବଡ ଘର ଅଛି, ଯେଉଁଠାରେ ଖେଳ ପଡ଼ିଆ, ବଗିଚା ଏବଂ ପିଲାମାନଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ରହିଛି। ଏହି ସୁନ୍ଦର ବଙ୍ଗଳାରେ ବ୍ୟାଡମିଣ୍ଟନ କୋର୍ଟ ମଧ୍ୟ ଅଛି। ତାଙ୍କ ପାଖରେ ୨.୮୦ କୋଟି ଟଙ୍କା ମୂଲ୍ୟର ମର୍ସିଡିଜ-ମେବ୍ୟାକ୍‌ ଜିଏଲଏସ ୬୦୦ ରହିଛି।

Share