ବିଗ୍‌ବସ୍‌ ୧୬ ବିଜେତା ଷ୍ଟାନ୍‌ଙ୍କର ମୋଟ ସମ୍ପତ୍ତି କେତେ ଜାଣନ୍ତି

ପ୍ରସିଦ୍ଧ ରାପର୍‌ ଏମସି ଷ୍ଟାନ ବିବାଦୀୟ ରିଆଲିଟି ଶୋ ‘ବିଗ ବସ ୧୬’ ର ଟ୍ରଫି ଜିତିଛନ୍ତି। ଏମସି ଷ୍ଟାନ ‘ବିଗ ବସ ୧୬’ ର ସୁନ୍ଦର ଟ୍ରଫି ବ୍ୟତୀତ ତାଙ୍କୁ ୩୧ ଲକ୍ଷ ୮୦ ହଜାର ଟଙ୍କା ଏବଂ ଗ୍ରାଣ୍ଡ ଆଇ୧୦ ନିଓସ କାର୍‌ ପୁରସ୍କାର ଭାବରେ ପାଇଛନ୍ତି। ‘ବିଗ ବସ ୧୬’ ସହିତ ତାଙ୍କର ଲୋକପ୍ରିୟତା ବହୁତ ବୃଦ୍ଧି ପାଇଛି।
ପୁଣେରେ ୩୦ ଅଗଷ୍ଟ ୧୯୯୯ରେ ଜନ୍ମଗ୍ରହଣ କରିଥିବା ଆଲତାଫ ଶେଖ ଓରଫ୍‌ ଏମସି ଷ୍ଟାନଙ୍କ ମା’ ଜଣେ ଗୃହିଣୀ। ପିତା ଜଣେ ପୋଲିସ କର୍ମଚାରୀ ଥିଲେ। ସେ ପୁଣେର ଏକ ଛୋଟ ଘରେ ରହୁଥିଲେ। ପିଲାଦିନରୁ ଷ୍ଟାନ ଜଣେ ଗାୟକ ହେବାକୁ ଚାହୁଁଥିଲେ। ମାତ୍ର ୧୨ ବର୍ଷ ବୟସରେ ସେ କୱାଲି ଗାଇବା ଆରମ୍ଭ କରିଥିଲେ। ଏହି କାରଣରୁ ସେ ଅଧାରୁ ପାଠପଢା ଛାଡିଥିଲେ। ଷ୍ଟାନ ଆମେରିକୀୟ ରାପର୍‌ ଏମିନେମ୍‌ଙ୍କ ଜଣେ ବଡ଼ ପ୍ରଶଂସକ।
କୱାଲି ସହ ଲୋକଙ୍କ ହୃଦୟ ଜିତିଥିବା ଷ୍ଟାନ ରାପ୍‌ ବିଷୟରେ କିଛି ଜାଣି ନ ଥିଲେ। ତାଙ୍କର ବଡ ଭାଇ ହିଁ ତାଙ୍କୁ ରାପ୍‌ ଦୁନିଆ ସହିତ ପରିଚିତ କରାଇଥିଲେ। ଯେତେବେଳେ ସେ ତାଙ୍କର ପ୍ରଥମ ରାପ୍‌ ଗୀତ ଗାଇଥିଲେ ସେତେବେଳେ ଏମସି ଷ୍ଟାନ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ରାପ୍‌ ପ୍ରତି ତାଙ୍କର ଆଗ୍ରହ ବଢିଗଲା ଏବଂ ସେ ପାଠପଢା ଛାଡିଥିଲେ। ଏହାପରେ ସଙ୍ଗୀତକୁ ସେ ସେ ନିଜ ପେଶା ଭାବେ ଗ୍ରହଣ କରିଥିଲେ। ଷ୍ଟାନଙ୍କର ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି। ତାଙ୍କ ମୋଟ ସମ୍ପତ୍ତି ୧୬ କୋଟି ଟଙ୍କାରୁ ଅଧିକ। ୨୩ ବର୍ଷୀୟ ଷ୍ଟାନ କନସର୍ଟ ମାଧ୍ୟମରେ ମୋଟା ଅଙ୍କର ରୋଜଗାର କରନ୍ତି।

Share