ନାଗାର୍ଜୁନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଟଲିଉଡର କିଙ୍ଗ ଭାବରେ ଜଣାଶୁଣା ନାଗାର୍ଜୁନ ଅକ୍କିନେନି ଆଜି ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ନାଗାର୍ଜୁନ ୨୯ ଅଗଷ୍ଟ ୧୯୫୯ରେ ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ)ରେ ଭେଟେରାନ ଅଭିନେତା ଅକ୍କିନେନି ନାଗସ୍ବାରା ରାଓଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମ ଥର ପାଇଁ ସେ ୧୯୫୯ ରିଲିଜ୍‌ ହୋଇଥିବା ସୁଦିଗୁଣ୍ଡାଲୁ ଫିଲ୍ମରେ ତାଙ୍କ ପିତାଙ୍କ ସହ ନଜର ଆସିଥିଲେ। ଶିଶୁ ଅଭିନେତା ଭାବରେ ସେ ଏହି ଫିଲ୍ମରେ ଅଭିନୟ କରିଥିଲେ। ଦର୍ଶକ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରିଥିଲେ। ସ୍କୁଲ ପଢିବା ପରେ ସେ ମିଚିଗାନରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ।
ଏତେ ପାଠ ପଢିବା ସତ୍ତ୍ୱେ ମଧ୍ୟ ତାଙ୍କର ଆଗ୍ରହ କେବଳ ଫିଲ୍ମରେ ଥିଲା, ତେଣୁ ୧୯୮୬ରେ ସେ ମୁଖ୍ୟ ଅଭିନେତା ଭାବରେ ବିକ୍ରମ ଫିଲ୍ମରୁ ସାଉଥ ସିନେମାରେ ପ୍ରବେଶ କରିଥିଲେ। ଏହି ଫିଲ୍ମଟି ଲୋକଙ୍କ ଦ୍ୱାରା ବହୁ ପ୍ରଶଂସା ଲାଭ କରିଥିଲା। ନାଗାର୍ଜୁନ ତାଙ୍କ କ୍ୟାରିୟରରେ ୧୦୦ଟି ଫିଲ୍ମରେ ଅଭିନୟ କରିଛନ୍ତି। ଦୟାଳୁ ଫିଲ୍ମରେ ନାଗାର୍ଜୁନଙ୍କ ପୁରା ପରିବାର ନଜର ଆସିଥିଲେ।
ଏହି ଫିଲ୍ମରେ ତାଙ୍କ ପିତା ଏନଏନ ରାଓ, ପୁଅ ନାଗା ଚୈତନ୍ୟ ଏବଂ ଅଖିଲ, ବୋହୂ ସାମନ୍ଥାଙ୍କ ସହ ନଜର ଆସିଥିଲେ। ଏବେ ନାଗା ଚୈତନ୍ୟ ଏବଂ ସାମନ୍ଥାଙ୍କ ମଧ୍ୟରେ ଛାଡପତ୍ର ହୋଇଛି। ଅଭିନେତା ହେବା ବ୍ୟତୀତ ନାଗାର୍ଜୁନ ଜଣେ ନିର୍ମାତା, ଟେଲିଭିଜନ ଉପସ୍ଥାପକ ଏବଂ ଉଦ୍ୟୋଗୀ ମଧ୍ୟ ଅଟନ୍ତି। ନାଗାର୍ଜୁନ ଏବଂ ତାଙ୍କ ସ୍ତ୍ରୀ ହାଇଦ୍ରାବାଦରେ ଥିବା ବ୍ଲୁ କ୍ରସର ସହ-ପ୍ରତିଷ୍ଠାତା ଅଟନ୍ତି।
ନାଗାର୍ଜୁନ ୮୦୦ କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ମଧ୍ୟ ଅଟନ୍ତି। ତାଙ୍କର କ୍ରୀଡା ପ୍ରତି ମଧ୍ୟ ବହୁତ ଆଗ୍ରହ ରହିଛି, ତେଣୁ ସେ ମୁମ୍ବାଇ ମାଷ୍ଟର୍ସ ଦଳର ସହ-ମାଲିକ ମଧ୍ୟ ଅଟନ୍ତି। ବର୍ତ୍ତମାନ ନାଗାର୍ଜୁନ ବ୍ରହ୍ମାସ୍ତ୍ର ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଆଲିଆ ଏବଂ ରଣବୀରଙ୍କ ସହ ନାଗାର୍ଜୁନଙ୍କୁ ଦେଖିବାକୁ ମିଳିବ।

Share