Posted inଜାତୀୟ

ଓ୍ବକ୍‌ଫ ଆଇନ କ’ଣ, ଯାହାକୁ ନେଇ ସଂସଦରେ ଚାଲିଛି ଝଡ଼

ମୋଦି ୩.୦ ସରକାର କ୍ଷମତାସୀନ ହେବା ପରେ ଲୋକ ସଭାରେ ଆଗତ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଓ୍ବକ୍‌ଫ (ସଂଶୋଧନ) ବିଲ୍‌କୁ ନେଇ ବିବାଦ ମୁଣ୍ଡ ଟେକିଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ଦ୍ୱାରା ଆଗତ ଉକ୍ତ ବିଲ୍‌ରେ ଥିବା ନିୟମକୁ ନେଇ ବିରୋଧୀ ସଦସ୍ୟମାନେ ଆପତ୍ତି ଉଠାଇ ହଟ୍ଟଗୋଳ କରିଛନ୍ତି। ଏହା ପରେ ରିଜିଜୁ ଉକ୍ତ ବିଧେୟକକୁ ଏକ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇବା ପାଇଁ ପ୍ରସ୍ତାବ ରଖିଛନ୍ତି। ସେ ମୁସଲମାନ ଓ୍ବକ୍‌ଫ (ଉଚ୍ଛେଦ) ବିଲ୍‌, ୨୦୨୪ ବିଲ୍‌ ମଧ୍ୟ ଉପସ୍ଥାପନ କରିଛନ୍ତି।
ଓ୍ବକ୍‌ଫ (ସଂଶୋଧନ) ବିଧେୟକରେ ଓ୍ବକ୍‌ଫ ଆଇନ, ୧୯୯୫କୁ ୟୁନିଫାଏଡ୍‌ ଓ୍ବକ୍‌ଫ ମ୍ୟାନେଜ୍‌ମେଣ୍ଟ, ଏମ୍ପାଓ୍ବାରମେଣ୍ଟ, ଏଫିସିଏନ୍ସି ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ ଆକ୍ଟ,୧୯୯୫ ରୂପେ ପୁନଃ ନାମକରଣ କରିବା ଲକ୍ଷ୍ୟ ରଖାଯାଇଛି। ଏହାକୁ ସଂସଦର ନିମ୍ନ ସଦନରେ ଆଗତ କରାଯିବା ପୂର୍ବରୁ ମଙ୍ଗଳବାର ରାତିରେ ବିଲ୍‌ର କପି ଲୋକ ସଭାର ସମସ୍ତ ସଦସ୍ୟଙ୍କୁ ବଣ୍ଟାଯାଇଥିଲା। ରିଜିଜୁ ବିଲ୍‌ ଆଗତ କରିବା ମାତ୍ରେ ଏହାକୁ ବିରୋଧ କରିବା ପାଇଁ ପୂର୍ବରୁ ନୋଟିସ ଦେଇଥିବା ଅନେକ ବିରୋଧୀ ଏମ୍‌ପି ପ୍ରସ୍ତାବିତ ସଂଶୋଧନକୁ ସମ୍ବିଧାନ ଓ ସଂଘବାଦ ଉପରେ ଆକ୍ରମଣ କହି ସମାଲୋଚନା କରିଥିଲେ। କଂଗ୍ରେସ ସଦସ୍ୟ କେ.ସି. ବେଣୁଗୋପାଳ କହିଥିଲେ, ସରକାର ଧର୍ମୀୟ ସ୍ବାଧୀନତାର ଉଲ୍ଲଂଘନ ଏବଂ ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ କରୁଛନ୍ତି। ଏହା ଏକ ନିଷ୍ଠୁର ଆଇନ। ଲୋକେ ଗତ ନିର୍ବାଚନରେ ଭାଜପାର ବିଭାଜନବାଦୀ ନୀତି ପାଇଁ ଉପଯୁକ୍ତ ଶିକ୍ଷା ଦେଇଛନ୍ତି। ଏହାସତ୍ତ୍ୱେ ହରିୟାଣା ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ଏହାକୁ ଜାରି ରଖିଛି। ଏହା ପରେ ଭାଜପା ଖ୍ରୀଷ୍ଟିଆନ୍‌ ଓ ଜୈନମାନଙ୍କୁ ଟାର୍ଗେଟ କରିବାକୁ ଯାଉଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଭାଜପାର କଠୋରପନ୍ଥୀ ସମର୍ଥକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ବିଲ୍‌ ଅଣାଯାଇଛି। ଅନ୍ୟ ଧର୍ମୀୟ ସଂସ୍ଥାଗୁଡ଼ିକରେ ସମ୍ପୃକ୍ତ ଧର୍ମ ବାହାର ଲୋକଙ୍କୁ ସାମିଲ କରାଯାଉନାହିଁ। ଓ୍ବକ୍‌ଫ ବୋର୍ଡଗୁଡ଼ିକରେ ଅଣମୁସଲମାନଙ୍କୁ କାହିଁକି ରଖାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସଦସ୍ୟ ସୁଦୀପ ବନ୍ଦୋପାଧ୍ୟାୟଙ୍କ ମତରେ ଏହା ଏକ ବିଭାଜନବାଦୀ, ଅସାମ୍ବିଧାନିକ ଓ ସଂଘୀୟ ବ୍ୟବସ୍ଥା ବିରୋଧୀ ବିଧେୟକ। ଡିଏମ୍‌କେ ସଦସ୍ୟା କାନିମୋଝି ମଧ୍ୟ ବିଲ୍‌କୁ ସମ୍ବିଧାନ ବିରୋଧୀ କହି ବିରୋଧ କରିଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାଓ୍ବାର) ଏମ୍‌ପି ସୁପ୍ରିୟା ସୁଲେ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରିବା ପାଇଁ ଅଣାଯାଇଥିବା ବିଧେୟକକୁ ତାଙ୍କ ଦଳ ବିରୋଧ କରୁଛି। ଇଣ୍ଡିଆନ ୟୁନିୟନ୍‌ ମୁସଲିମ ଲିଗ୍‌ (ଆଇୟୁଏମ୍‌ଏଲ୍‌) ସଦସ୍ୟ ଇ.ଟି. ମହମ୍ମଦ ବଶିର ଏହି ବିଲ୍‌ ସମ୍ବିଧାନର ଅନୁଚ୍ଛେଦ ୧୪, ୧୫, ୨୫, ୨୬ ଓ ୩୦କୁ ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣି ବିରୋଧ କରିଛନ୍ତି। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓଓ୍ବାଇସି କହିଛନ୍ତି, ଓ୍ବକ୍‌ଫ ଆଇନରେ ସଂଶୋଧନ ଆଣିବା କ୍ଷମତା ଗୃହର ନାହିଁ। ଏହି ସରକାର ମୁସଲମାନ ବିରୋଧୀ, ଯାହାକି ଉକ୍ତ ବିଲ୍‌ରୁ ପ୍ରମାଣିତ ହୋଇଛି।
ବିରୋଧୀ ସଦସ୍ୟମାନଙ୍କ ଯୁକ୍ତି ଶୁଣିବା ପରେ ରିଜିଜୁ କହିଥିଲେ, ଓ୍ବକ୍‌ଫ ବିଲ୍‌ରେ କୌଣସି ଧର୍ମୀୟ ସଂସ୍ଥାର ସ୍ବାଧୀନତା ଉପରେ ହସ୍ତକ୍ଷେପ ଯୋଜନା ନାହିଁ। ଚିଠା ଆଇନରେ ସମ୍ବିଧାନର କୌଣସି ନିୟମକୁ ମଧ୍ୟ ଉଲ୍ଲଂଘନ କରାଯାଇନାହିଁ। ଓ୍ବକ୍‌ଫ ଆଇନ, ୧୯୯୫ ଏହାର ଲକ୍ଷ୍ୟ ପୂରଣ କରୁନାହିଁ। ପୂର୍ବରୁ କଂଗ୍ରେସ ସରକାର ଯାହା କରିପାରି ନ ଥିଲେ, ପ୍ରସ୍ତାବିତ ସଂଶୋଧନରେ ତାହା ହାସଲ ପାଇଁ ଯୋଜନା କରାଯାଇଛି। ମନ୍ତ୍ରୀ ରିଜିଜୁ ଗୃହକୁ ଆହୁରି କହିଥିଲେ, ଓ୍ବକ୍‌ଫ ଆଇନ, ୧୯୯୫ର ସମୀକ୍ଷା କରାଯିବା ଉଚିତ ବୋଲି ଏକ ଜେପିସି ସୁପାରିସ କରିଛି। ବିରୋଧୀ ଦଳଗୁଡ଼ିକ ରାଜନୈତିକ ସ୍ବାର୍ଥ ପାଇଁ ଏହାକୁ ବିରୋଧ କରୁଛନ୍ତି। ସେମାନେ ବିଲ୍‌ର ଉଦ୍ଦେଶ୍ୟକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। କୌଣସି ଆଇନ ସମ୍ବିଧାନର ଊର୍ଦ୍ଧ୍ୱରେ ନୁହେଁ। କିନ୍ତୁ ୧୯୯୫ ଓ୍ବକ୍‌ଫ ଆଇନରେ ଏଭଳି ନିୟମ ରହିଛି, ଯେମିତିକି ଏହା ସମ୍ବିଧାନ ଉପରେ କାର୍ଯ୍ୟ କରୁଛି।
ଓ୍ବକ୍‌ଫ ବୋର୍ଡଗୁଡ଼ିକୁ ମାଫିଆମାନେ ଦଖଲ କରିନେଇଥିବା ବିଷୟ ଅନେକ ଏମ୍‌ପି ତାଙ୍କୁ ବ୍ୟକ୍ତିଗତ ଭାବେ ଅବଗତ କରାଇଥିବା ରିଜିଜୁ ଦାବି କରିଥିଲେ। ତେବେ ବିଲ୍‌ ପ୍ରସ୍ତୁତି ପୂର୍ବରୁ ବିସ୍ତୃତ ବିଚାରବିମର୍ଶ କରାଯାଇଥିବା ସେ ସୂଚନା ଦେଇଥିଲେ। ରିଜିଜୁଙ୍କ ମତରେ କେତେଜଣ ଏମ୍‌ପି ଦଳୀୟ ଚାପରେ ଉକ୍ତ ବିଲ୍‌କୁ ବିରୋଧ କରୁଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ, ଓ୍ବକ୍‌ଫ ଆଇନ, ୧୯୯୫ ଲାଗୁ ହେବା ପରଠୁ ମୁସଲମାନ ଓ୍ବକ୍‌ଫ୍‌ ଆଇନ, ୧୯୨୩ ନିଜ ପ୍ରାସଙ୍ଗିକତା ହରାଇଥିବାରୁ ଏହାକୁ ଉଚ୍ଛେଦ କରାଯିବା ଆବଶ୍ୟକ। ତେବେ ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ମୁସଲମାନମାନଙ୍କୁ ବିଭ୍ରାନ୍ତ କରୁଥିବା ଶାହା ସମାଲୋଚନା କରିଛନ୍ତି।

ଓ୍ବକ୍‌ଫ କ’ଣ

ମୁସଲମାନ ଆଇନ ଅନୁସାରେ ଧର୍ମାନୁଷ୍ଠାନ କିମ୍ବା ଦାତବ୍ୟ ସଂସ୍ଥାକୁ ଦାନ କରୁଥିବା ବ୍ୟକ୍ତିଙ୍କୁ ଓ୍ବକିଫ୍‌ କୁହାଯାଏ। ଔକ୍‌ଫ (ଦାନ କରାଯାଇଥିବା ଏବଂ ଓ୍ବକ୍‌ଫ ରୂପେ ବିଜ୍ଞପିତ ସମ୍ପତ୍ତି)ର ନିୟନ୍ତ୍ରଣ ପାଇଁ ୧୯୯୫ରେ ଓ୍ବକ୍‌ଫ ଆଇନ ଅଣାଯାଇଥିଲା। ତଦନୁସାରେ ଏକ ଦାନ ସମ୍ପତ୍ତିକୁ ଥରେ ଓ୍ବକ୍‌ଫ ଘୋଷଣା କରାଯିବା ପରେ ତାହା ଆଉ ଦାତାଙ୍କ ପାଖକୁ ଫେରି ନ ଥାଏ। ଭାରତରେ ୯ ଲକ୍ଷରୁ ଊର୍ଦ୍ଧ୍ୱ ଏକର ଜମି ଉପରେ ରହିଥିବା ସମ୍ପତ୍ତିର ନିୟନ୍ତ୍ରଣ ପାଇଁ ପ୍ରାୟ ୩୦ଟି ଓ୍ବକ୍‌ଫ ବୋର୍ଡ ରହିଛି। ଏହି ସମ୍ପତ୍ତିର ଆନୁମାନିକ ମୂଲ୍ୟ ୧.୨ ଲକ୍ଷ କୋଟି ଟଙ୍କା ହେବ। ରେଲଓ୍ବେ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପରେ ଓ୍ବକ୍‌ଫ ବୋର୍ଡ ହେଉଛି ଦେଶର ତୃତୀୟ ସର୍ବାଧିକ ସ୍ବତ୍ୱାଧିକାରୀ।

ବିଲ୍‌ରେ କ’ଣ ରହିଛି
ପ୍ରସ୍ତାବିତ ବିଲ୍‌ରେ ପ୍ରଚଳିତ ଆଇନର ସେକ୍ସନ ୪୦କୁ ଉଚ୍ଛେଦ କରିବା ପାଇଁ ପ୍ରୟାସ କରାଯାଇଛି। ଏକ ସମ୍ପତ୍ତି ଓ୍ବକ୍‌ଫ ସମ୍ପତ୍ତି କି ନୁହେଁ, ସେହି ନିଷ୍ପତ୍ତି ନେବା କ୍ଷମତା ସମ୍ପର୍କରେ ଏହି ଧାରାରେ ଉଲ୍ଲେଖ କରାଯାଇଛି। ସେଣ୍ଟ୍ରାଲ ଓ୍ବକ୍‌ଫ କାଉନ୍‌ସିଲ ଏବଂ ରାଜ୍ୟ ଓ୍ବକ୍‌ଫ ବୋର୍ଡଗୁଡ଼ିକର ଗଠନ ସମ୍ପର୍କରେ ଏଥିରେ ବିସ୍ତୃତ ଭାବେ ଅବତାରଣା କରାଯାଇଛି।
ଏଥିସହ କାଉନ୍‌ସିଲ ଓ ବୋର୍ଡରେ ମୁସଲମାନ ମହିଳା ଏବଂ ଅଣମୁସଲିମ୍‌ମାନଙ୍କୁ ସାମିଲ କରାଯିବା ନେଇ ମଧ୍ୟ ନିୟମ କରାଯାଇଛି। ବିଲ୍‌ରେ ବୋହରା ଏବଂ ଅଘାଖାନ୍‌ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବୋର୍ଡ ପ୍ରତିଷ୍ଠା ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଚିଠା ଆଇନରେ ବୋର୍ଡରେ ଶିୟା, ସୁନ୍ନି, ବୋହରା, ଅଘାଖାନ୍‌ ଓ ମୁସଲମାନ ସମ୍ପ୍ରଦାୟର ଅନ୍ୟ ପଛୁଆ ବର୍ଗଙ୍କ ଉପସ୍ଥିତି ପାଇଁ ବ୍ୟବସ୍ଥା କରାଯାଇଛି।
ସେହିପରି ଓ୍ବକ୍‌ଫକୁ ମଧ୍ୟ ଏଥିରେ ସ୍ପଷ୍ଟ ଭାବେ ପରିଭାଷିତ କରିବା ପାଇଁ ଉଦ୍ୟମ ହୋଇଛି। ତଦନୁଯାୟୀ ଅନୂ୍ୟନ ୫ ବର୍ଷ ଧରି ଇସ୍‌ଲାମ୍‌ ଧର୍ମ ଅବଲମ୍ବନ କରିଆସୁଥିବା ଯେ କୌଣସି ବ୍ୟକ୍ତିଙ୍କ ସମ୍ପତ୍ତିକୁ ଓ୍ବକ୍‌ଫ କୁହାଯାଇପାରିବ। ଓ୍ବକ୍‌ଫଗୁଡ଼ିକର ପଞ୍ଜୀକରଣ ପଦ୍ଧତିରେ ପରିବର୍ତ୍ତନ ଆଣିବା ପାଇଁ ଏକ ସେଣ୍ଟ୍ରାଲ ପୋର୍ଟାଲ ଓ ଡେଟାବେସ୍‌ ପ୍ରସ୍ତୁତ କରାଯିବ। ରାଜସ୍ବ ଆଇନ ଅନୁସାରେ ଦାଖଲ ଖାରଜର ପଦ୍ଧତି ଆପଣାଯିବା ପାଇଁ ବିସ୍ତୃତ ବିବରଣୀ ଏଥିରେ ଉଲ୍ଲେଖ ରହିବ।
ଏକ ସମ୍ପତ୍ତି ଓ୍ବକ୍‌ଫ ସମ୍ପତ୍ତି ନା ସରକାରୀ ଜମି ତାହା ଜିଲାପାଳ ନିର୍ଦ୍ଧାରଣ କରିବେ। ପୂର୍ବରୁ ଓ୍ବକ୍‌ଫ ଟ୍ରିବ୍ୟୁନାଲ ଏହି ନିଷ୍ପତ୍ତି ନେଉଥିଲା। ତେବେ ସମ୍ପତ୍ତି ହଡ଼ପ ପାଇଁ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିମାନେ ଏହି କ୍ଷମତାର ଦୁରୁପଯୋଗ କରୁଥିବା ନେଇ ଅଭିଯୋଗ ହେଉଥିଲା। ପ୍ରଚଳିତ ଆଇନ ଅନୁସାରେ ଜଣେ ବ୍ୟକ୍ତି ମୌଖିକ ଭାବେ ନିଜ ସମ୍ପତ୍ତି ଦାନ କରିପାରୁଥିଲେ। କିନ୍ତୁ ନୂଆ ଆଇନ କାର୍ଯ୍ୟକାରୀ ହେଲେ ଓ୍ବକ୍‌ଫନାମା (ଏକ ବୈଧ ଦଲିଲ/ଦସ୍ତାବିଜ) ଜରିଆରେ ହିଁ ଦାନ କରାଯାଇପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

କୋଲକାତା ବଳାତ୍କାର-ହତ୍ୟା ଘଟଣାର ଆଉ ଏକ ନୂଆ ତଥ୍ୟ ଆସିଲା ସାମ୍ନାକୁ! ଦୁଇ ଦିନ ପର୍ଯ୍ୟନ୍ତ ଜବତ ହୋଇ ନ ଥିଲା…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ନୂଆ...

ରାହୁଲଙ୍କୁ କାହିଁକି ଭାଇରସ ବୋଲି କହିଲେ ମୋଦି

ନୂଆଦିଲ୍ଲୀ,୧୯।୯: ଜମ୍ମୁ କଶ୍ମୀରରେ ୨୫ସେପ୍ଟେମ୍ବର ୨୦୨୪ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଶେରାୱାଲି କହି ରାଲିରେ ନିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri