Categories: ଜାତୀୟ

ନିର୍ବାଚିତ ସରକାରଙ୍କୁ ଭୟଭୀତ କରାଇ ଭାଙ୍ଗିବା କେଉଁ ପ୍ରକାରର ଗଣତନ୍ତ୍ର: ଖାର୍ଗେ

ନୂଆଦିଲ୍ଲୀ,୨୭।୨: ହିମାଚଳ ପ୍ରଦେଶରେ ଯାହା କରାଯାଇଛି ତାହା ଠିକ୍‌ ନୁହେଁ। ଯଦି କେନ୍ଦ୍ର ସରକାର ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାର କାର୍ଯ୍ୟ କରନ୍ତି ତେବେ ଏହା କି ପ୍ରକାର ଗଣତନ୍ତ୍ର? ଏହାପୂର୍ବରୁ ମଧ୍ୟପ୍ରଦେଶ, କର୍ନାଟକ, ମଣିପୁର, ଗୋଆରେ ମଧ୍ୟ ସମାନ ଘଟଣା ଘଟିଥିଲା। ଯଦି ଭାଜପା ସରକାର ପରାଜିତ ହୁଅନ୍ତି ତେବେ ଲୋକଙ୍କୁ ଭୟଭୀତ କରି ସରକାରକୁ ଭାଙ୍ଗିଥାନ୍ତି, ଏହା ଗଣତନ୍ତ୍ର ନୁହେଁ ବୋଲି ମଙ୍ଗଳବାର ‘ହ୍ବାଟ୍‌ ଇଣ୍ଡିଆ ଥିଙ୍କ ଟୁଡେ’ର ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି।

ଖାର୍ଗେ କହିଛନ୍ତି, ଗଣତନ୍ତ୍ରରେ ସାହସ ଦେଖାଇବା ଉଚିତ। ନେହେରୁ, ଲାଲ ବାହାଦୁର ଶାସ୍ତ୍ରୀ, ରାଜୀବ ଗାନ୍ଧୀ ମଧ୍ୟ ସେଭଳି କରିଥିଲେ। ହେଲେ ଯଦି ଏମାନେ ଏଭଳି ଜାରି ରଖନ୍ତି ତେବେ ଦିନ ଆସିବ ଦେଶରେ ଗଣତନ୍ତ୍ର ଶେଷ ହେବ। ସମ୍ବିଧାନ ନିଜର ସତ୍ତା ହରାଇବ। ଯଦି କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିଛି ତେବେ ଭଲ, କିନ୍ତୁ କାହାକୁ ଭୟଭୀତ କରି ଶାସନ କ୍ଷମତାକୁ ଆସିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

ସେହିଭଳି କଂଗ୍ରେସ ଛାଡ଼ି ଏନ୍‌ଡିଏରେ ସାମିଲ ହେଉଥିବା ନେତାଙ୍କୁ ନେଇ ଖାର୍ଗେ କହିଛନ୍ତି, କିଛି ଲୋକ କ୍ଷମତା ଲୋଭି। ସେମାନେ ଆମ ସହ ୩୦ରୁ ୪୦ ବର୍ଷ ଧରି ଥିଲେ। ଏବେ ଆଦର୍ଶରେ କି ପରିବର୍ତ୍ତନ ଆସିଛି ଯେ ଲୋକେ ହାତ ଛାଡ଼ୁଛନ୍ତି। ମୁଁ ମଧ୍ୟ ସମାନ ଦଳରେ ଅଛି, ତେବେ କ’ଣ ମୁଁ ନିରାଶ। ମୋର ଲକ୍ଷ୍ୟ ଗଣତନ୍ତ୍ରକୁ ବଞ୍ଚାଇବା, ସମ୍ବିଧାନର ରକ୍ଷା କରିବା, ସେଥିପାଇଁ କିଛି ମିଳୁ କିମ୍ବା ନ ମିଳୁ।

Share