Categories: ଖେଳ

‘କେଉଁ ପ୍ରକାର ମେସେଜ୍‌ ଚାହୁଁଥିଲେ କୋହଲି’

ନୂଆଦିଲ୍ଲୀ,୬।୯: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପରାଜୟ ପରେ ବିରାଟ କୋହଲି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଥିଲେ, ମୁଁ ଟେଷ୍ଟ ଅଧିନାୟକତ୍ୱ ଛାଡିବା ପରେ କେବଳ ଜଣେ ବ୍ୟକ୍ତିଙ୍କଠାରୁ ମେସେଜ୍‌ ପାଇଥିଲି। ସେ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ଅନେକ ଲୋକଙ୍କ ପାଖରେ ମୋ ନମ୍ବର ଅଛି। ସେମାନେ କିନ୍ତୁ ଟିଭିରେ ମତ ଦିଅନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ କେହି ମୋତେ ମେସେଜ୍‌ ପଠାଇ ନାହାନ୍ତି।
ଏନେଇ ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ସୁନୀଲ ଗାଭାସ୍କରଙ୍କୁ ପଚରାଯିବାରୁ ସେ କହିଥିଲେ, ବିରାଟ ଏକଥା କାହାକୁ କହୁଛନ୍ତି ତାହା କହିବା କଷ୍ଟକର। ଯଦି ସେ ଗୋଟିଏ ନାଁ ନେଇଥାନ୍ତେ, ତେବେ ଆପଣ ସେହି ବ୍ୟକ୍ତିଙ୍କୁ ପଚାରିପାରିଥାନ୍ତେ। ମୁଁ ଯାହା ଶୁଣିଛି, ସେ କେବଳ କହୁଛନ୍ତି ଯେ ଟେଷ୍ଟ ଅଧିନାୟକତ୍ୱ ଛାଡିବା ପରେ କେବଳ ମହେନ୍ଦ୍ର ସିଂ ଧୋନୀ ତାଙ୍କୁ ମେସେଜ୍‌ କରିଥିଲେ। କିନ୍ତୁ ମୁଁ ପଚାରିବାକୁ ଚାହୁଁଛି କି, ସେ କେଉଁ ପ୍ରକାର ମେସେଜ୍‌ ଚାହୁଁଥିଲେ? ସେ ଅଧିନାୟକତ୍ୱ ଛାଡିଥିଲେ ତେଣୁ ତାଙ୍କୁ ଉତ୍ସାହର ଆବଶ୍ୟକତା କାହିଁକି ଥିଲା? ସେହି ଅଧ୍ୟାୟ (ଅଧିନାୟକ) ପୂର୍ବରୁ ବନ୍ଦ ହୋଇଯାଇଛି। ବର୍ତ୍ତମାନ ତୁମେ କେବଳ ଜଣେ କ୍ରିକେଟର। ତେଣୁ ତୁମେ ନିଜେ ପାଇଥିବା ଭୂମିକା ଉପରେ ଧ୍ୟାନ ଦିଅ।
ଏସିଆ କପ୍‌ ସୁପର-୪ ରାଉଣ୍ଡରେ ପାକିସ୍ତାନ ବିପକ୍ଷ ମ୍ୟାଚ ପରେ କୋହଲି ଖବରଦାତା ସମ୍ମିଳନୀରେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିବା ପରେ କେବଳ ମହେନ୍ଦ୍ର ସିଂ ଧୋନୀ ହିଁ ମୋତେ ମେସେଜ କରିଥିଲେ। ମୁଁ ତାଙ୍କଠାରୁ କିଛି ଚାହେଁ ନାହିଁ ଏବଂ ସେ ମୋ ଠାରୁ କିଛି ଚାହାଁନ୍ତି ନାହିଁ। ମୁଁ ତାଙ୍କ ସହ କଦାପି ଅସୁରକ୍ଷିତ ନ ଥିଲି ଏବଂ ସେ ମଧ୍ୟ ମୋ ସହ ନ ଥିଲେ। ବହୁତ ଲୋକ ଅଛନ୍ତି ଯେଉଁମାନେ ମୋତେ କେବଳ ଟିଭିରେ ପରାମର୍ଶ ଦିଅନ୍ତି। ଯଦି ମୋର କାହାକୁ କିଛି କହିବାକୁ ଅଛି, ମୁଁ ବ୍ୟକ୍ତିଗତ ଭାବେ ଭେଟି କହିପାରିବି। ଯାହାକୁ ପରାମର୍ଶ ଦେବାର ଅଛି ତ ମୋତେ ଭେଟିକି ଦେବା ଭଲ। ଟିଭିରେ ବସି କହିଲେ କୌଣସି ସୁଫଳ ମିଳେ ନାହିଁ। ମୁଁ ସମସ୍ତଙ୍କ ସମ୍ମାନ କରେ। ଇଶ୍ବର ତୁମକୁ ସବୁକିଛି ଦିଅନ୍ତି, କେବଳ ସଫଳତା ପାଇବା ପାଇଁ ଭଗବାନ ତୁମକୁ ସାହାଯ୍ୟ କରନ୍ତି ଏବଂ ଏସବୁ ତାଙ୍କ ହାତରେ ରହିଛି।
ସୂଚନାଯୋଗ୍ୟ, କୋହଲି ଚଳିତ ବର୍ଷ ଜାନୁଆରୀ ମାସରେ ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିଥିଲେ। ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା।

Share