Categories: ଜାତୀୟ

ଆଜି ଆସିପାରେ ଜ୍ଞାନବାପି ରାୟ

ବାରାଣସୀ,୨୪।୫:ବାରାଣସୀ ଜିଲା ଜଜ୍‌ ଜ୍ଞାନବାପି ମସ୍‌ଜିଦ ବିବାଦ ମାମଲାର ଶୁଣାଣି ସୋମବାର ଶେଷ କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି। ମଙ୍ଗଳବାର ରାୟ ପ୍ରକାଶ ପାଇବା ଆଶା କରାଯାଉଛି। ଉକ୍ତ ମସ୍‌ଜିଦ ପରିସରରେ ଶ୍ରୀଙ୍ଗାର ଗୌରୀଙ୍କ ଦୈନନ୍ଦିନ ପୂଜାର୍ଚ୍ଚନା ଲାଗି ହିନ୍ଦୁ ପକ୍ଷ ଅଦାଲତଙ୍କ ଅନୁମତି ଲୋଡ଼ିଥିଲେ। ଏଥିସହିତ ମସ୍‌ଜିଦ ଓ୍ବାଜୁଖାନାରୁ ମିଳିଥିବା ଶିବଲିଙ୍ଗର ପୂଜା କରାଯିବା ସହ ସେଠାରୁ ଭଗ୍ନାବଶେଷ ହଟାଯିବା ପାଇଁ ମଧ୍ୟ ସେମାନେ କୋର୍ଟଙ୍କୁ ନିବେଦନ କରିଥିଲେ। ଅନ୍ୟପକ୍ଷରେ ମୁସଲମାନ ପକ୍ଷ ଓ୍ବାଜୁଖାନା ଅଞ୍ଚଳ ସିଲ୍‌କୁ ବିରୋଧ କରିବା ସହ ପୂଜାର୍ଚ୍ଚନା ସ୍ଥାନ ଆଇନ, ୧୯୯୧ ଆଧାରରେ ଜ୍ଞାନବାପି ସର୍ଭେର ପୁନର୍ବିଚାର କରିବା ଲାଗି ଅଦାଲତଙ୍କୁ ଅନୁରୋଧ କରିଥିଲେ।
ବାରାଣସୀ ଜିଲା ଜଜ୍‌ ଡ. ଏ.କେ. ବିଶ୍ୱେଷଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବହିଷ୍କୃତ କମିଶନର ଅଜୟ ମିଶ୍ରା ଦାଖଲ କରିଥିବା ସର୍ଭେ ରିପୋର୍ଟର ନକଲକୁ ଗ୍ରହଣ କରିଛନ୍ତି। ଗତ ୨୦ ତାରିଖରେ ସୁପ୍ରିମକୋର୍ଟ ଜ୍ଞାନବାପି ମସ୍‌ଜିଦ ବିବାଦ ମାମଲାକୁ ବାରାଣସୀ ଜିଲା ଜଜ୍‌ କୋର୍ଟକୁ ସ୍ଥାନାନ୍ତର କରିଥିଲେ। ମାମଲାର ଜଟିଳତା ଓ ସମ୍ବେଦନଶୀଳତା ଦୃଷ୍ଟିରୁ ଏହାକୁ ଉତ୍ତରପ୍ରଦେଶ ନ୍ୟାୟିକ ସେବାର ଜଣେ ବରିଷ୍ଠ ତଥା ଅଭିଜ୍ଞତାସମ୍ପନ୍ନ ବିଚାରପତି ଏହାର ଶୁଣାଣି କରିବେ ବୋଲି ସିଜେଆଇ ଜଷ୍ଟିସ ଏନ୍‌.ଭି. ରମନାଙ୍କ ଖଣ୍ଡପୀଠ କହିଥିଲେ।
ଶିବଲିଙ୍ଗ ମିଳିଥିବା ସ୍ଥାନକୁ କୋର୍ଟଙ୍କ ନିର୍ଦ୍ଦେଶରେ ସିଲ୍‌ କରାଯାଇଥିବା ବେଳେ ଅନ୍ୟତ୍ର ଓ୍ବୁଜୁ କରିବା ଲାଗି ବ୍ୟବସ୍ଥା ହୋଇଛି। ଏହା ସତ୍ତ୍ୱେ ଓ୍ବାଜୁଖାନାରେ ମେ’ ୧୬ରୁ ୧୯ ମଧ୍ୟରେ ଓ୍ବୁଜୁ କରିଥିବା ଲୋକଙ୍କ ବିରୋଧରେ ଆଇପିସିର ଧାରା ୧୫୩ଏ(୨) ଏବଂ ୫୦୫(୩)ରେ ଏତଲା ଦାଏର ପାଇଁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହିନ୍ଦୁ ପକ୍ଷ ଆବେଦନ କରିଛନ୍ତି।

Share