Categories: ଜାତୀୟ

ଶାହାଙ୍କ ପୁଅ କ‘ଣ କରୁଛନ୍ତି: ଭାଜପାକୁ ଆଇନା ଦେଖାଇଲେ ରାହୁଲ…

ଆଇଜଲ,୧୭।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ନିଜର ମିଜୋରାମ ନିର୍ବାଚନୀ ପ୍ରଚାର ସମୟରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଭାଜପା ଅନ୍ୟ ରାଜନୈତିକ ଦଳଗୁଡ଼ିକ ଉପରେ ବଂଶବାଦ ରାଜନୀତିର ଆରୋପ ଲଗାଉଥିବାବେଳେ ଏବେ ରାହୁଲ ଏନେଇ ଭାଜପାକୁ ଆଇନା ଦେଖାଇଛନ୍ତି। ସେ କହିଛନ୍ତି ଏବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା କ‘ଣ କରୁଛନ୍ତି। ଶାହା ଶାସକ ଦଳର ଜଣେ ବରିଷ୍ଠ ନେତା ମାତ୍ର ତାଙ୍କର ପୁଅ ରାଜନୈତିକ ଛତ୍ରଛାୟା ତଳେ ରହିଛନ୍ତି। ଏଥିରୁ ଭାଜପାର କେବଳ ଅନ୍ୟକୁ କହିବାର ପଣିଆ ସମ୍ପର୍କରେ ସ୍ପଷ୍ଟ ଜଣା ପଡୁଛି। ଜୟ ଶାହା ବିସିସିଆଇ ସଚିବ ପଦରେ ରହିଛନ୍ତି। ଏହା ସହିତ ସେ ଏସିଆନ କ୍ରିକେଟ କାଉନସିଲର ସଭାପତି ମଧ୍ୟ ଅଛନ୍ତି।

ଶାହାଙ୍କ ପରି ରାଜନାଥ ସିଂଙ୍କ ପୁଅ ମଧ୍ୟ ପିତାଙ୍କ ପଦବୀର ଫାଇଦା ନେବାରେ ଲାଗିଛନ୍ତି। ରାଜନାଥଙ୍କ ପୁଅ ପଙ୍କଜ ସିଂ ଉତ୍ତରପ୍ରଦେଶରେ ଜଣେ ବିଧାୟକ। ସେହିପରି ଅନୁରାଗ ଠାକୁରଙ୍କ ପିତା ପ୍ରେମ କୁମାର ଧୁମଲ ୨ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ସେ ଭାଜପାର ଜଣେ ବରିଷ୍ଠ ନେତା। ଏଥିରୁ ଭାଜପା କିପରି ମିଛ କହୁଛି ଏବଂ ଅନ୍ୟ ଉପରେ କେବଳ ଦୋଷାରୋପ କରୁଛି ତାହା ଜଣା ପଡୁଛି ବୋଲି ରାହୁଲ କହିଛନ୍ତି।

Share