Categories: ଖେଳ

ଅକ୍‌ଶନରେ ସ୍ଥାନ ପାଇବାରୁ ଏମିତି କହିଲେ ଶ୍ରୀସାନ୍ଥ

ନୂଆଦିଲ୍ଲୀ,୨।୨: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଲାଗି ଆସନ୍ତା ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁଠାରେ ହେବାକୁ ଯାଉଥିବା ମେଗା ଅକ୍‌ଶନ ପାଇଁ ଚୂଡ଼ାନ୍ତ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ମୋଟ ୫୯୦ ଖେଳାଳିଙ୍କ ନାମ ଅକଶନ ପାଇଁ ଚୂଡ଼ାନ୍ତ କରାଯାଇଛି। ଏହି ତାଲିକାରେ ରହିଛି ଭେଟେରାନ ପେସର ଏସ୍‌. ଶ୍ରୀସାନ୍ଥ। ଏଥିଯୋଗୁ ଟୁଇଟରରେ ପ୍ରଶଂସକଙ୍କ ଲାଗି ଏକ ପୋଷ୍ଟ ଶେୟାର କରିଛନ୍ତି ପୂର୍ବତନ ଡାହାଣହାତୀ ପେସର।

ଶ୍ରୀସାନ୍ଥଙ୍କୁ ୫୦ ଲକ୍ଷ ଟଙ୍କାର ବେସ୍‌ ପ୍ରାଇସ୍‌ରେ ଅକଶନ ଲାଗି ରେଜିଷ୍ଟର କରାଯାଇଛି। ସେ ଗତ ବର୍ଷ ମଧ୍ୟ ଆଇପିଏଲ ଖେଳିବା ଲାଗି ନିଜ ନାମକୁ ପଞ୍ଜୀକୃତ କରାଇଥିଲେ। କିନ୍ତୁ ଚୂଡ଼ାନ୍ତ ଖେଳାଳିଙ୍କ ତାଲିକାରେ ତାଙ୍କୁ ସ୍ଥାନ ମିଳି ନ ଥିଲା।

୩୮ ବର୍ଷୀୟ ଖେଳାଳି ଲେଖିଛନ୍ତି, “ତୁମ ସଭିଙ୍କୁ ମୋର ଭଲ ପାଇବା। ସଭିଙ୍କୁ ଯଥେଷ୍ଟ ଧନ୍ୟବାଦ କରିପାରିବି ନାହିଁ। ସଭିଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବି। ଦୟାକରି ଚୂଡ଼ାନ୍ତ ଅକଶନ ଲାଗି ମୋ ପାଇଁ ପ୍ରାର୍ଥନା କର। ଓମ୍‌ ନମଃ ଶିବାୟ“।

ଉଲ୍ଲେଖଯୋଗ୍ୟ, ୨୦୧୩ ଆଇପିଏଲ ସ୍ପଟ୍‌ ଫିକ୍ସିଂ ସ୍କାଣ୍ଡାଲରେ ସମ୍ପୃକ୍ତି ନେଇ ତାଙ୍କୁ ୭ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ବିସିସିଆଇ ବାସନ୍ଦାଦେଶ ହଟାଇବା ପରେ ଶ୍ରୀସାନ୍ଥ ସୟଦ ମୁସ୍ଥାକ ଅଲି ଟ୍ରଫି ଭଳି ଘରୋଇ ଟୁର୍ନାମେଣ୍ଟ ଖେଳିଥିଲେ। ୨୦୦୭ ଟି୨୦ ବିଶ୍ୱକପ୍‌ ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଥିଲେ ଶ୍ରୀସାନ୍ଥ। ଅନ୍ତିମ ଥର ୨୦୧୧ରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଏହି ପେସର କ୍ୟାରିୟରରେ ୨୭ ଟେଷ୍ଟ (୮୭ ଉଇକେଟ), ୫୩ ଦିନିକିଆ (୭୫) ଏବଂ ୧୦ ଟି୨୦ (୭) ଖେଳିଥିଲେ।