Categories: ଜାତୀୟ

ୟୁକ୍ରେନରୁ ଫେରିବା ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଛାତ୍ର

ନୂଆଦିଲ୍ଲୀ,୩।୩: ସମୟ ଥାଉ ଥାଉ ବିବାଦୀୟ ଜୋନରୁ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନ ନେଇ ଫୁଲ ବାଣ୍ଟିବା ଭଳି ଅଙ୍ଗଭଙ୍ଗୀ ମୂଲ୍ୟହୀନ। ଏଭଳି କହି ଗୁରୁବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଫେରିଥିବା ଜଣେ ଛାତ୍ର।

ବିହାରର ମୋତିହାରୀ ବାସୀନ୍ଦା ଦିବ୍ୟାଂଶୁ ସିଂଙ୍କୁ ୟୁକ୍ରେନରୁ ହଙ୍ଗେରୀ ଯିବାକୁ ପଡ଼ିଥିଲା। ସେଠାରୁ ଗୁରୁବାର ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ବିମାନ ବନ୍ଦରରେ ଗୋଲାପ ଫୁଲ ଦ୍ୱାରା ସ୍ବାଗତ କରାଯାଇଥିଲା। ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଠାରୁ ତାଙ୍କୁ କେଉଁ ପ୍ରକାର ସାହାଯ୍ୟ ମିଳିଥିଲା ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ’ଆମେ ସୀମା ଡେଇଁ ହଙ୍ଗେରୀରେ ପହଞ୍ଚିବା ପରେ ହିଁ ସାହାଯ୍ୟ ପାଇଥିଲୁ। ତା’ ପୂର୍ବରୁ କୌଣସି ସହାୟତା ମିଳି ନ ଥିଲା। ଯାହାବି କରିଛୁ, ନିଜ ଆଡ଼ୁ କରିଛୁ। ଆମେ ୧୦ ଜଣିଆ ଗ୍ରୁପ୍‌ କରି ଟ୍ରେନରେ ଖୁବ୍‌ କଷ୍ଟରେ ଚଢ଼ିଥିଲୁ। ସେତେବେଳେ ଟ୍ରେନ ଫୁଲ୍‌ ପ୍ୟାକ ଥିଲା‘।

ଟ୍ରେନରେ ଚଢ଼ୁଥିବା ଏବଂ ସୀମା ପାର ଉଦ୍ୟମ ବେଳେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ଦିଆଯାଉଥିବା କିଛି ରିପୋର୍ଟରେ ଦାବି କରାଯାଉଛି। କିନ୍ତୁ ଭିନ୍ନ କଥା କହିଛନ୍ତି ଦିବ୍ୟାଂଶୁ।

’ସ୍ଥାନୀୟ ଲୋକେ ଆମକୁ ସାହାଯ୍ୟ କରିଥିଲେ। କେହି ଆମ ସହ ଖରାପ ବ୍ୟବହାର କରି ନ ଥିଲେ। ପୋଲାଣ୍ଡ ସୀମାରେ କିଛି ଛାତ୍ରୀଛାତ୍ରଙ୍କୁ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡ଼ିଛି। ସେଥି ପାଇଁ ଆମ ସରକାର ଦାୟୀ। ଯଦି ସରକାର ସମୟ ଥାଉ ଥାଉ ପଦକ୍ଷେପ ନେଇଥାନ୍ତେ, ଆମକୁ ଏତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ନ ଥାନ୍ତା। ଆମେରିକା ପ୍ରଥମେ ତା’ର ନାଗରିକଙ୍କୁ ୟୁକ୍ରେନ ଛାଡ଼ିବା ପାଇଁ ଆଡଭାଇଜରି ଜାରି କରିଥିଲା‘ ବୋଲି ହାତରେ ଫୁଲ୍‌ ଧରି ମେଡିକାଲ ଛାତ୍ର କହିଛନ୍ତି।

Share