Categories: ଖେଳ

ହାତରେ ବଲ୍‌ ଧରି କ’ଣ କହୁଥିଲେ ହାର୍ଦ୍ଦିକ ପାଣ୍ଡ୍ୟା: ନିଜେ କଲେ ଖୁଲାସା

ଅହମ୍ମଦାବାଦ,୧୫।୧୦(୦୭): ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯାଇଥିଲା। ଏହି ମ୍ୟାଚକୁ ଟିମ ଇଣ୍ଡିଆ ୭ ଉକେଟରେ ଜିତିଥିଲା। ମ୍ୟାଚ ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ହାତରେ ବଲ ଧରି ପାଟି ପାଖରେ ରଖି କିଛି କହୁଥିବାର ନଜର ଆସିଥିଲେ। ଇମାମ ଉଲ ହକ ତାଙ୍କର ପରବର୍ତ୍ତୀ ବଲରେ ଆଉଟ ହୋଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ହାର୍ଦ୍ଦିକ ବଲରେ କିଛି ଯାଦୁ ମନ୍ତ୍ର କରିଥିବା ପ୍ରଶଂସକମାନେ ଲେଖିଥିଲେ। ମ୍ୟାଚ ପରେ ହାର୍ଦ୍ଦିକ ଏହି ଘଟଣାର ପ୍ରକୃତ ରହସ୍ୟ ଉଜାଗର କରିଥିଲେ।
ମ୍ୟାଚ ପରେ ପୂର୍ବତନ ମହାନ ଗୌତମ ଗମ୍ଭୀର ଏବଂ ଇରଫାନ ପଠାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ହାର୍ଦ୍ଦିକ ଥଟ୍ଟା କରି କହିଥିଲେ ଯେ,ଏହି ସମୟରେ ମୁଁ ନିଜକୁ ଗାଳି ଦେଇଥିଲି। ମୁଁ ନିଜ ସହ ଅତି ସରଳ କଥା କହିଥିଲ। ଗୋଟିଏ ସ୍ଥାନରେ ଏକ ସଠିକ ଲାଇନ୍‌ ଲେନ୍ଥରେ ବୋଲିଂ କରିବାକୁ ମୁଁ ନିଜକୁ ଉତ୍ସାହିତ କରୁଥିଲି।
ସୂଚନାଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନର ଇନିଂସର ୧୩ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ। ଏହି ଓଭରର ଦ୍ୱିତୀୟ ବଲରେ ଇମାମ ଚୌକା ମାରିଥିଲେ। ଏହି ସମୟରେ ହାର୍ଦ୍ଦିକ ବହୁତ ଅସନ୍ତୁଷ୍ଟ ଦେଖାଯାଉଥିଲେ। ଏହା ପରେ, ପରବର୍ତ୍ତୀ ବଲରେ ରନ ଅପ କରିବା ପୂର୍ବରୁ ହାର୍ଦ୍ଦିକଙ୍କୁ ଦୁଇ ହାତରେ ବଲ ଧରିଥିବାର, ମୁହଁ ଆଡକୁ ଆଣି ବଲ ଆଡକୁ ଚାହିଁ କିଛି କହିଥିଲେ। ଏହି ବଲରେ ହାର୍ଦ୍ଦିକ ଇମାମଙ୍କୁ ଆଉଟ୍‌ କରିଥିଲେ।

Share