Categories: Uncategorized

ଟି-୨୦ ବିଶ୍ୱକପ୍‌ରେ କ’ଣ ରହିବ ଭାରତର ରଣନୀତି: ରୋହିତ ଶର୍ମା କଲେ ଖୁଲାସା

ସିଡନୀ,୧୯।୧୦: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। ଏବେ କ୍ୱାଲିଫାୟର ରାଉଣ୍ଡ ମ୍ୟାଚ ଖେଳାଯାଉଛି। ଭାରତର ପ୍ରଥମ ମ୍ୟାଚ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ରହିଛି। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା କେଉଁ ଯୋଜନା ସହିତ ଭାରତ ଏହି ଟୁର୍ନାମେଣ୍ଟରେ ପ୍ରବେଶ କରିବ ସେନେଇ ଖୁଲାସା କରିଛନ୍ତି। ଏହି ଟୁର୍ନାମେଣ୍ଟରେ ଭାରତୀୟ ଦଳ ପାକିସ୍ତାନ, ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦଳ ସହିତ ଅଛି। ଗତ ବର୍ଷ ଭାରତ ପ୍ରଥମ ଦୁଇଟି ମ୍ୟାଚ ହାରିଯିବା ପରେ ଗ୍ରୁପ ପର୍ଯ୍ୟାୟରୁ ବାଦ ପଡିଥିଲା। ଏଥର ଟିମ ଇଣ୍ଡିଆ ଦ୍ୱିତୀୟ ଥର ପାଇଁ ଏହି ଟୁର୍ନାମେଣ୍ଟ ଜିତିବାକୁ ଚେଷ୍ଟା କରିବ।
ଟି-୨୦ ବିଶ୍ୱକପରେ ଭାରତର ପ୍ରଥମ ମ୍ୟାଚ ପୂର୍ବରୁ ବିସିସିଆଇ ରୋହିତ ଶର୍ମାଙ୍କ ଏକ ଭିଡିଓ ଶେୟାର କରିଛି। ଏଥିରେ ହିଟମ୍ୟାନ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ରୋହିତ ପ୍ରଥମେ କହିଥିଲେ ଯେ, ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ଅଧିନାୟକ ହେବା ଗର୍ବର ବିଷୟ। ସେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଏଠାରେ ସେ କିଛି ବିଶେଷ କରିବାର ସୁଯୋଗ ପାଇବେ। ଯେତେବେଳେ ବିଶ୍ୱକପ ହୁଏ, ଖେଳାଳିମାନେ ବହୁତ ଉତ୍ସାହିତ ରହିଥାନ୍ତି। ଏହା ଏକ ବଡ ଟୁର୍ନାମେଣ୍ଟ, କିନ୍ତୁ ଆମେ ଏହା ବିଷୟରେ ଅଧିକ ଆଲୋଚନା କରୁନାହୁଁ। ଏହା ଆମ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରେ।
ଘରେ ଲଗାତାର ଦୁଇଟି ସିରିଜ ଜିତିବା ପରେ ଭାରତ ଅଷ୍ଟ୍ରେଲିଆରେ ପହଞ୍ଚିଛି ବୋଲି ରୋହିତ କହିଛନ୍ତି। ତେବେ ଅଷ୍ଟ୍ରେଲିଆରେ ଖେଳିବା ଏକ ଭିନ୍ନ ଚ୍ୟାଲେଞ୍ଜ ହେବ। କିଛି ଖେଳାଳି ପ୍ରଥମ ଥର ପାଇଁ ଏଠାରେ ଖେଳୁଛନ୍ତି। ପରିସ୍ଥିତି ସହିତ ସେମାନଙ୍କୁ ଭଲ ଖାପଖୁଆଇବାକୁ ପଡିବ। ଏହି କାରଣରୁ, ଭାରତୀୟ ଦଳ ଟିକେ ପୂର୍ବରୁ ଅଷ୍ଟ୍ରେଲିଆରେ ପହଞ୍ଚି ପରିସ୍ଥିତିକୁ ପରଖିଛୁ।
ରୋହିତ ଆହୁରି ମଧ୍ୟ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ସବୁବେଳେ ସ୍ବତନ୍ତ୍ର। ଏହି ମ୍ୟାଚ ଦେଖିବା ପାଇଁ ପ୍ରଶଂସକମାନେ ବହୁ ସଂଖ୍ୟାରେ ଆସନ୍ତି ଏବଂ ଘରେ ଟିଭିରେ ମ୍ୟାଚ ମଧ୍ୟ ଦେଖନ୍ତି। ପରିବେଶ ଉତ୍ସାହରେ ପରିପୂର୍ଣ୍ଣ। ଏହି ମ୍ୟାଚ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ ଭାରତ ନିଜର ଅଭିଯାନ ଆରମ୍ଭ କରିବ, କିନ୍ତୁ ଆମେ ଆମ ଉପରେ ଚାପ ନ ଦେବାକୁ ଚେଷ୍ଟା କରୁଛୁ। ଆମର ଧ୍ୟାନ ହେଉଛି ଖେଳାଳି ଭାବରେ ଆମର କାର୍ଯ୍ୟ କ’ଣ ଏବଂ ଆମେ କଣ କରିବା ଆବଶ୍ୟକ। ଆମେ ପୁଣି ବିଶ୍ୱକପ ଜିତିବାକୁ ଚାହୁଁଛୁ, କିନ୍ତୁ ଏଥିପାଇଁ ଆମକୁ ଅନେକ ଜିନିଷ ଠିକ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।