କ’ଣ ହେବ ମିଶନ ଶକ୍ତି ମହିଳାଙ୍କ ଭାଗ୍ୟ

ବାରିପଦା,୭ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ବହୁମତ ପାଇ ନୂଆ ସରକାର ଗଠନ କରିବାକୁ ପ୍ରସ୍ତୁତି ଜାରି ରଖିଛି। ନୂଆ ସରକାରରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶାସନକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉକତ୍ଣ୍ଠା ଦେଖାଦେଉଛି। ବିଜେଡି ସରକାରରେ ଚାଲିଥିବା ଯୋଜନାଗୁଡ଼ିକ ବନ୍ଦ ହେବ ନା ଜାରି ରହିବ ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱରେ ଜିଲାବାସୀ ରହିଛନ୍ତି। ଏପରିକି ଭାଜପାର ମିଶନ ସଫଳ ହେବା ପରେ ଜିଲାରେ ମିଶନ ଶକ୍ତିକୁ ନେଇ ଗ୍ରୁପର ସଦସ୍ୟାମାନେ ଚିନ୍ତାରେ ପଡ଼ିଛନ୍ତି। ୨୪ ବର୍ଷ ସରକାରରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ତ୍ୱରାନ୍ବିତ କରାଯିବ କି ନୂଆ ଉପାୟ ଅବଲମ୍ବନ କରାଯିବ ତାହାକୁ ନେଇ ବିଚାର ବିମର୍ଷ ହେଉଛି।
ମୟୂରଭଞ୍ଜ ଜିଲାରେ ସବାଇଘାସ, ଶାଳପତ୍ର, ଜଙ୍ଗଲଜାତ ଦ୍ରବ୍ୟ, ମାଣ୍ଡିଆ, ଗୃହପାଳିତ ପ୍ରାଣୀ ପାଳନ ଭଳି ଅନେକ ବ୍ୟବସାୟ ଜରିଆରେ ମିଶନ ଶକ୍ତିର ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଜିଲାରେ ମୋଟ ୪୭ ହଜାର ୧୭୫ ଗ୍ରୁପ ରହିଥିବା ବେଳେ ସଦସ୍ୟାଙ୍କ ସଂଖ୍ୟା ୪ ଲକ୍ଷ ୭୧ ହଜାର ୭୫୦ ରହିଛି। ବଡ଼ସାହି ବ୍ଲକ୍‌ରେ ୨୯୦୯, ବହଳଦାରେ ୧୧୮୦, ବାଙ୍ଗରିପୋଷିରେ ୧୭୦୮, ବାରିପଦାରେ ୧୯୫୦, ବେତନଟୀରେ ୨୦୭୫, ବିଜାତଳା ୧୦୧୪, ବିଶୋଇ ୧୧୦୫, ଜିବି ନଗର ୧୩୨୧, ଜାମଦାରେ ୯୦୯, ଯଶିପୁର ୧୪୪୨, କପ୍ତିପଦାରେ ୨୩୨୮, କରଞ୍ଜିଆରେ ୧୯୨୪, ଖୁଣ୍ଟାରେ ୧୨୦୭, କୁଳିଅଣାରେ ୧୪୮୯, କୁସୁମୀରେ ୧୨୬୮, ମୋରଡ଼ାରେ ୨୧୬୧, ରାସଗୋବିନ୍ଦପୁରରେ ୧୪୪୫, ରାଇରଙ୍ଗପୁର ୧୦୯୩, ରରୁଆଁରେ ୧୨୩୮, ସାରସକଣାରେ ୧୪୨୨, ଶାମାଖୁଣ୍ଟାରେ ୧୪୩୬, ଶୁକୃଳୀରେ ୧୦୦୨, ଶୁଳିଆପଦାରେ ୧୬୯୩, ଠାକୁରମୁଣ୍ଡାରେ ୧୬୭୯, ତିରିଂରେ ୮୫୫ ଓ ଉଦଳାରେ ୧୩୬୮ ଗ୍ରୁପ ରହିଛି। ଏହାକୁ ଅଧିକ ଶକ୍ତିଶାଳୀ ଓ ରୋଜଗାରକ୍ଷମ କରିବା ପାଇଁ ଜିଲାରେ ଡିଏଲଏଫ୍‌, ବିଏଲଏଫ୍‌, ଜିଏଲଏଫ୍‌ ଓ ବ୍ୟାଙ୍କ ମିତ୍ର ଭଳି ପଦବୀ ସୃଷ୍ଟି କରାଯାଇଥିଲା। ପାରିଶ୍ରମିକ ଭାବେ ସ୍ବଳ୍ପ ଅର୍ଥ ପ୍ରଦାନ କରାଯାଉଥିଲା। ମିଶନ ଶକ୍ତିର ମହିଳାମାନଙ୍କୁ ପେନ୍‌ସନ୍‌ ଭତ୍ତା ଲାଗୁ କରିବାକୁ ବିଜେଡି ସରକାର ଘୋଷଣା କରିଥିଲା। ମାତ୍ର ଗ୍ରୁପକୁ ଠିକ୍‌ ଭାବେ ପରିଚାଳନା କରାଯାଉଥିବା ବେଳେ ସଭାପତି ଓ ସମ୍ପାଦକଙ୍କୁ ନେଇ ରାଜନୀତି କରିବା ଦଳ ପ୍ରତି ମହଙ୍ଗା ପଡିଲା ା ଫଳରେ ମିଶନ ଶକ୍ତି ବୋଲାଉଥିବା ମହିଳାଙ୍କ ଆଶୀର୍ବାଦ ଭାଜପା ପ୍ରତି ଲେଉଟି ଯାଇଥିଲା। ନୂଆ ସରକାର ଗଠନ ହେଲେ ମିଶନ ଶକ୍ତି ପାଇଁ ନିୟୋଜିତ କର୍ମଚାରୀ ସୁରକ୍ଷିତ ରହିବେ ନା ନୂଆ ମୋଡ଼ ନେବ ତାହା ଏବେ ସନ୍ଦେହ ଘେରରେ ରହିଛି। ସେହିପରି ଆହାର, ଲକ୍ଷ୍ମୀ ବସ୍‌ ଯୋଜନା, ଛାତ୍ର ବୃତି, ବିଏସ୍‌କେୱାଇ ଯୋଜନା ସବୁ ବନ୍ଦ ହେଲେ ନିୟୋଜିତ କର୍ମଚାରୀମାନେ ବେରୋଜଗାରକ୍ଷମ ହୋଇପଡିବେ ବୋଲି ମତ ପ୍ରକାଶ ପାଉଛି। ଅନ୍ୟପକ୍ଷରେ ଭାଜପାର ଲକ୍ଷପତି ଦିଦି ସୃଷ୍ଟି କରିବାର ପ୍ରତିଶ୍ରୁତିକୁ ନେଇ ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ବୋଲି ଜଣାପଡିଛି। ତେବେ ମିଶନ ଶକ୍ତିକୁ ଆହୁରି ସୁଦୃଢ କରାଯିବ ନା ବିକଳ୍ପ ଉପାୟ ଅବଲମ୍ବନ କରାଯିବ ତାହାକୁ ନେଇ ଅଲୋଚନା ହେଇଛି।