କ’ଣ ହେବ ବିଏସକେଓ୍ବାଇ କାର୍ଡର ଭବିଷ୍ୟତ?

ଭୁବନେଶ୍ୱର,୫।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକୀ ୭୮ ଆସନ ପାଇ ବହୁମତ ହାସଲ କରିଛି। ବିଜେଡିକୁ କେବଳ ୫୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବା ବେଳେ କଂଗ୍ରେସ ୧୪ଟି , ସ୍ବାଧୀନ ୩ଟି ଏବଂ ସିପିଆଇ(ଏମ୍‌) ଗୋଟିଏ ଆସନ ପାଇଛନ୍ତି। ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଭାଜପା ସରକାରକୁ ଆସିଲେ ବିଜେଡି ସରକାରର ଯୋଜନା ଗୁଡିକୁ ପୂର୍ବପରି କାର୍ଯ୍ୟକରି ହେବାକୁ ଦେବ ନା ସମ୍ପୂର୍ଣ୍ଣ ବନ୍ଦ କରିଦେବ।
ପୂର୍ବରୁ ବିଏସକେଓ୍ବାଇ ବିଜେଡି ମୋଦି ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ ହେବାକୁ ଦେଇ ନ ଥିଲା। ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା। ନିର୍ବାଚନ ପୂର୍ବରୁ ଅନେକ ଭାଜପା ନେତା ପ୍ରଚାର ସମୟରେ କହିତତ୍ଲେ, ଭାଜପା ସରକାରକୁ ଆସିଲେ ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବ। ଏବେ ରାଜ୍ୟରେ ଭାଜପା ସରକାର ଗଢିବାକୁ ଯାଉଛି,ତେବେ ବିଏସକେଓ୍ବାଇ କାର୍ଡ ବଦଳରେ ଆୟୁଷ୍ମାନ କାର୍ଡ ଲାଗୁ କରିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।
ବିଜେଡିର ସବୁଠୁ ଲୋକପ୍ରିୟ ଯୋଜନା ଭିତରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ( ବିଏସକେଓ୍ବାଇ) ସାମିଲ ଥିଲା। ରାଜ୍ୟର ୧ କୋଟିରୁ ଅଧିକ ପରିବାର କ୍ୟାସ୍‌ଲେସ୍‌ ଚିକିତ୍ସା ସୁବିଧା ପାଉଛନ୍ତି। ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବାବେଳେ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଛି। ଏହି ଯୋଜନାରେ ମାସକୁ ୧ ଲକ୍ଷ ୩୦ ହଜାର ହିତାଧିକାରୀ ୮୧୬ଟି ପଞ୍ଜିକୃତ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୨୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିଲେ।
ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଯୋଜନା ଅଧୀନରେ ଯୋଗ୍ୟ ଲୋକଙ୍କୁ ଆୟୁଷ୍ମାନ କାର୍ଡ ଦିଆଯାଏ। ଆୟୁଷ୍ମାନ କାର୍ଡଧାରୀମାନେ ତାଲିକା ଭୁକ୍ତ ଡାକ୍ତରଖାନା ଗୁଡ଼ିକରେ ମାଗଣା ଚିକିତ୍ସା ପାଆନ୍ତି।ଏହି କାର୍ଡ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କଭର ଯୋଗାଇଥାଏ।