*ଅଧିକ ସମୟ ଗୋଡ଼ରେ ଶିକୁଳି ପଡ଼ି ରହିବାରୁ କ୍ଷତ ହୁଏ ଏବଂ ସଂକ୍ରମଣ ମଧ୍ୟ ବଢ଼ିଥାଏ।
*ଗୋଟିଏ ପ୍ରାପ୍ତବୟସ୍କ ହାତୀକୁ ଯେତିକି ଖାଦ୍ୟ ଆବଶ୍ୟକ, ବନ କର୍ମଚାରୀ ସେତିକି ଯୋଗାଇ ପାରନ୍ତି ନାହିଁ।
*ହାତୀଙ୍କର ସ୍ବେଦ ଗ୍ରନ୍ଥି ନାହିଁ, ତେଣୁ ସେମାନଙ୍କର ଝାଳ ବାହାରେ ନାହିଁ। ସେଥିପାଇଁ ହାତୀମାନେ ଦିନକୁ ଦୁଇଥର ଭଲ କରି ପାଣିରେ ବୁଡ଼ି ଗାଧୋଇ ଥାନ୍ତି। କିନ୍ତୁ ଚେନରେ ବାନ୍ଧି ରଖାଯିବା ସହ ହାତୀଙ୍କୁ ପାଇପ ପାଣିରେ ଗାଧୋଇ ଦିଆଯାଏ। କର୍ମଚାରୀଙ୍କ ଇଚ୍ଛାରେ ହାତୀର ଗାଧୁଆ କାମ ରହିଥାଏ, ଯାହା କେବେ ହେଲେ ବି ଯଥେଷ୍ଟ ହୁଏ ନାହିଁ।
*ବନ୍ଧା ହୋଇ ରହିବା ଦ୍ୱାରା ହାତୀର ଆଚାର ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ। ସୁଯୋଗ ମିଳିଲେ ହାତୀ ମାହୁନ୍ତ (ମଣିଷ)ଙ୍କ ପ୍ରତି ପ୍ରତିହିଂସା ପରାୟଣ ହୋଇଥାଏ। ସୂଚନାଯୋଗ୍ୟ, ଆସାମର ଜଣେ ପ୍ରଶିକ୍ଷଣକାରୀ ମାହୁନ୍ତ ମଦ ପିଇ ‘ଶଙ୍କର’ ହାତୀ ପିଠିରେ ବସିଥିବାବେଳେ ସେ ମାହୁନ୍ତକୁ ତଳକୁ ଫୋପାଡ଼ି ପାଦରେ ଦଳି ଦେଇଥିଲା।
ସମାଧାନର ବାଟ
ବନ୍ୟପ୍ରାଣୀ ବିଶେଷଜ୍ଞ କମଳ ଲୋଚନ ପୁରୋହିତ କହିଛନ୍ତି, ହାତୀଙ୍କୁ ସଙ୍ଗେ ସଙ୍ଗେ ବେଡ଼ି ଖୋଲି ଜଙ୍ଗଲରେ ଛଡ଼ା ଯାଇପାରିବ ନାହିଁ। ହାତୀଙ୍କ ଗୋଡ଼ରେ ଅନୂ୍ୟନ୍ୟ ଓଜନିଆ ଲମ୍ବା ଲୁହା ଘୋଷରା ଶିକୁଳି ବାନ୍ଧି ଛାଡ଼ିଦେବା ଉଚିତ। ଏପରି କଲେ ହାତୀ ଯୁଆଡ଼େ ବି ଯିବ ଟ୍ରାକରମାନେ ସେହି ଚେନ୍ ଘୋଷରା ଦାଗ ଦେଖି ତା’ ପାଖରେ ପହଞ୍ଚତ୍ପାରିବେ। ଯଦି କେବେ ଆବଶ୍ୟକ ହୁଏ, ହାତୀ ପାଖକୁ ନ ଯାଇ ବା ଟ୍ରାଙ୍କୁଲାଇଜ୍ ନ କରି ମଧ୍ୟ ସେହି ଚେନ୍ର ମୁଣ୍ଡକୁ ଏକ ଗଛରେ ବାନ୍ଧି ଦିଆ ଯାଇପାରିବ ବୋଲି କମଳ ଲୋଚନ କହିଛନ୍ତି। ତେବେ ଶଙ୍କର ବା ରାକେଶ ଗୋଡ଼ରେ ଲୁହାଚେନ୍ ଯୋଗୁ ଯେଉଁ କ୍ଷତ ସୃଷ୍ଟି ହୋଇଛି, ସେଥିରୁ ରକ୍ଷା ପାଇବା ପାଇଁ ରବର ଆବରଣଯୁକ୍ତ ଚେନ୍ ବ୍ୟବହାର କରାଯାଇପାରିବ ବୋଲି ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।
ସୂଚନାଯୋଗ୍ୟ, ଉତ୍ପାତ କରୁଥିବା ହାତୀଙ୍କ ପାଇଁ ଚନ୍ଦକାରେ ଅତି କମ୍ରେ ୧୦ ଏକର ବା ଅଧିକ ଅଞ୍ଚଳକୁ ଆବଦ୍ଧ କରି ସେହି ଜାଗାରେ ତାଙ୍କୁ ରଖାଯିବା ପାଇଁ ଗତବର୍ଷ ଜଙ୍ଗଲ ମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ତାହା ହୋଇପାରି ନାହିଁ।