‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କିଛି ବିରୋଧୀ ଦଳ ଏହାକୁ ସମର୍ଥନ କରିଥିବାବେଳେ କଂଗ୍ରେସ, ଏଏପି, ଏସପି ଓ ଟିଏମସି ଭଳି ଦଳ ଏହାକୁ ବିରୋଧ କରୁଛନ୍ତି। ତେବେ ଏହାରି ଭିତରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ହୋଇଛି। ବିଧାନସଭାରେ କଡ଼ା ପରାଜୟ ପରେ ଲୋକ ସଭାରେ ମଧ୍ୟ ଦଳକୁ ଗୋଟିଏ ବି ଆସନ ମିଳିପାରି ନାହିଁ। ସେପଟେ ରାଜ୍ୟ ସଭାରୁ ମଧ୍ୟ ୨ଜଣ ଇସ୍ତଫା ଦେଇ ଭାଜପାରେ ସାମିଲ୍‌ ହୋଇଛନ୍ତି। ନିର୍ବାଚନରେ ପରେ ବିଜେଡି ଏବେ ରାଜ୍ୟ ତଥା ଜାତୀୟ ରାଜନୀତିରେ ଭାଜପାର କଡ଼ା ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଛି। ପ୍ରତିଟି ବିଲ୍‌ ଓ ପଦକ୍ଷେପକୁ ନବୀନ ତଥା ବିଜେଡି ଜୋରଦାର ଟାର୍ଗେଟ କରୁଛନ୍ତି। ବର୍ତ୍ତମାନ ବିତର୍କ ସୃଷ୍ଟି କରିଥିବା ଏକକାଳୀନ ନିର୍ବାଚନକୁ ନେଇ ନବୀନଙ୍କ ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏସବୁ ଭିତରେ ବିଜେଡି ସୁପ୍ରିମୋଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି।

ଓଡିଶା ସାହିତ୍ୟ ମହୋତ୍ସବର ଦ୍ୱାଦଶ ସଂସ୍କରଣରେ ଏକ ବାର୍ତ୍ତାଳାପବେଳେ ନବୀନ କହିଛନ୍ତି , ବିଜେଡି ଏହି ପ୍ରସ୍ତାବର ସବିଶେଷ ତଥ୍ୟ ଅଧ୍ୟୟନ କରିବ। ଏହା ପରେ ହିଁ ନିଷ୍ପତ୍ତି ନେବ। ଏକକାଳୀନ ନିର୍ବାଚନ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏନେଇ ସଂସଦର ଶୀତକାଳୀନ ଅଧିବେଶନରେ ଏହା ଉପରେ ଏକ ବିଲ ଉପସ୍ଥାପିତ ହେବ।

କହିରଖୁଛୁ କି, ଓ୍ବାନ ନେଶନ ଓ୍ବାନ ଇଲେକ୍ସନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। କଂଗ୍ରେସ ଏହାକୁ କଡ଼ା ବିରୋଧ କରିଛି। କଂଗ୍ରେସ କହିଛି ଯେ, ଦେଶ ଏହାକୁ କେବେ ଗ୍ରହଣ କରିବ ନାହିଁ। ଯେତେବେଳେ କି ଭାଜପା କହିଛି ଯେ ଏହି ପ୍ରସ୍ତାବ ଦେଶର ସ୍ବାର୍ଥରେ। ଏକକାଳୀନ ନିର୍ବାଚନ କରିବା ଦ୍ୱାରା ଅର୍ଥ ସଞ୍ଚୟ ହେବା ସହ ଦେଶର ବିକାଶ କାର୍ଯ୍ୟରେ ପ୍ରେରଣା ଯୋଗାଇବ।

ତେବେ ଇଣ୍ଡିଆ ଆଲାଏନ୍ସ ଖୋଲାଖୋଲି ଭାବେ ଏକକାଳୀନ ନିର୍ବାଚନକୁ ବିରୋଧ କରିଛି। ଏସପି ଜାତୀୟ ସଭାପତି ଅଖିଳେଶ ଯାଦବ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି। ଆମ ଆଦମୀ ପାର୍ଟି କହିଛି ଯେ, ଭାଜପା ଏହା ମାଧ୍ୟମରେ ନିଜକୁ ଦାୟିତ୍ୱରୁ ମୁକ୍ତ କରିବାକୁ ଚାହୁଁଛି। ଏଥି ସହ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ସଂଘୀୟ ଢାଞ୍ଚା ଗଠନ ବିରୋଧୀ ବୋଲି କହିଛନ୍ତି। କୁହାଯାଉଛି ଯେ, ସଂସଦର ଶୀତକାଳୀନ ଅଧିବେଶନରେ ଏହି ପ୍ରସଙ୍ଗ ଗୃହର ଉଷ୍ମତାକୁ ଆହୁରି ବଢାଇବ।

Share