ଖୋର୍ଦ୍ଧା ଜିଲାର ମହତପଲା ଗାଁରେ ମୋ ଜନ୍ମ। ଦଶମ ପଢିବାବେଳେ ମୋ ବାହାଘର ହୋଇଗଲା। ଶାଶୁଘର କାକଟପୁରରେ ହୋଇଥିଲେ ହେଁ ସ୍ବାମୀ ଯେହେତୁ ବ୍ରହ୍ମପୁରରେ ଚାକିରି କରୁଥିଲେ, ତେଣୁ ମୁଁ ଯାଇ ବ୍ରହ୍ମପୁରରେ ରହିଲି। ପାଠପଢା ପ୍ରତି ମୋର ଆଗ୍ରହ ଥିବା ଜାଣି ସ୍ବାମୀ ମୋତେ ପୁଣି ପାଠ ପଢିବାକୁ ସୁଯୋଗ ଦେଲେ। ତାଙ୍କରି ସହଯୋଗରେ ୧୯୭୧ରେ ମୁଁ ଏକାଦଶ ପାସ୍ କଲି। ତା’ପରେ ଛୁଆ ପିଲାଙ୍କ ଜଞ୍ଜାଳ ଭିତରେ ଆଉ ପଢି ପାରିଲି ନାହିଁ। ସ୍ବାମୀଙ୍କର ଚାକିରିରେ ବଦଳି ଯୋଗୁ କିଛିଦିନ ପୁରୀ, ତା’ପରେ ସମ୍ବଲପୁର ଆଉ ଯେବେ କଟକକୁ ଆମେ ଆସିଲୁ, ସେତିକିବେଳେ ମୋତେ କିଛିଟା ସମାଜସେବା କରିବାର ସୁଯୋଗ ମିଳିଥିଲା; ଯାହାକି ମୋତେ ବେଶ୍ ଆନନ୍ଦ ଦେଇଥିଲା। ଭୁବନେଶ୍ୱର ବଦଳି ହୋଇ ଆସିବା ପରେ ପ୍ରଥମେ ଆମେ କେତେଜଣ ମହିଳା ମିଶି ଏକ ମହିଳାସମିତି ଗଢିଲୁ ଆଉ ସେଠି ବିଭିନ୍ନ ପ୍ରକାରର ମସଲାଦ୍ରବ୍ୟ ତିଆରି କରି କେତେକ ହଷ୍ଟେଲକୁ ଯୋଗାଇଲୁ। ତା’ପରେ କାବ୍ୟଭାରତୀ ସୁନ୍ଦରମଣି ପଟ୍ଟନାୟକଙ୍କ ସହ ମୋର ପରିଚୟ ହେଲା; ଯିଏକି ସେତେବେଳେ ଜନତା ଦଳର ଜଣେ ସଦସ୍ୟା ଥିଲେ। ତାଙ୍କରି ସହାୟତାରେ ମୁଁ ବି ଜନତା ଦଳର ଜଣେ ସଦସ୍ୟା ହୋଇଗଲି। ବାସ୍ ତା’ପରଠୁ ମୁଁ ସମାଜସେବା କ୍ଷେତ୍ରରେ ବେଶ୍ ସକ୍ରିୟ ରହିବାକୁ ଲାଗିଲି। ସମାଜସେବା ବ୍ୟତିତ କବିତା ଲେଖାରେ ରୁଚି ଥିବାରୁ ଅନେକ କବିତା ବି ଲେଖିଲି; ଯାହା ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ହେଲା। ଆଉ ଯେଉଁଥିପାଇଁ ମୋତେ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନେକ ସ୍ବୀକୃତି ଓ ସମ୍ମାନ ମଧ୍ୟ ମିଳିଲା। ତେବେ ଏହି କବିତା ଲେଖା ପାଇଁ ଲେଖିକା ସଂସଦ ତରଫରୁ ମିଳିଥିବା ୧୦୦୦ ଟଙ୍କା ଓ ଏକ ସାଲ୍ର ଉପହାରକୁ ମୁଁ କେବେ ବି ଭୁଲି ବି ନାହିଁ। କାରଣ ଏହା ଥିଲା ମୋ ଜୀବନର ପ୍ରଥମ ପୁରସ୍କାର ରାଶି; ଯାହାର ଖୁସିକୁ ମୁଁ ମୋ ପରିବାର ଲୋକଙ୍କ ସାଙ୍ଗେ ବାଣ୍ଟିଥିଲି। କବିତା ଲେଖିବା ସହିତ ସେ ସମୟରେ ‘ନିୟନ୍ତା’ ନାମକ ଏକ ପତ୍ରିକାର ମଧ୍ୟ ମୁଁ ସମ୍ପାଦନା କରୁଥିଲି। କ୍ରମେ ମହିଳା ବ୍ୟାଙ୍କ୍ର ଡାଇରେକ୍ଟର, ଅଳକାର ଡାଇରେକ୍ଟର ତଥା ଓପୋଲ୍ଫେଡ୍ର ଡାଇରେକ୍ଟର ଭାବେ ବି କାମ କରିବାର ସୁଯୋଗ ପାଇଲି। କେବଳ ସେତିକି ନୁହେଁ, ଉତ୍କଳ ସମ୍ମିଳନୀର ଜଣେ ସଦସ୍ୟା ଭାବେ ୧୯୯୪ରେ ଯୋଗ ଦେଇଥିଲି ଆଉ ଏବେ ମୁଁ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର ଭାଇସ୍ ପ୍ରେସିଡେଣ୍ଟ ଅଛି। ଏହାଛଡ଼ା ମହିଳା ଦକ୍ଷତା ସମିତିର ଓଡିଶା ହେଡ୍, ବରିଷ୍ଠ ନାଗରିକ ମଞ୍ଚର ଏକ୍ଜିକ୍ୟୁଟିଭ୍ ମେମ୍ବର ତଥା ଭିମଟାଙ୍ଗିସ୍ଥିତ ଓ୍ବାର୍କ ଆସୋସିଏଶନ୍ର ଭାଇସ୍ ପ୍ରେସିଡେଣ୍ଟ ଦାୟିତ୍ୱ ବି ମୁଁ ଏବେ ତୁଲାଉଅଛି। ତେବେ ଏଠାରେ କହି ରଖିବାକୁ ଚାହେଁ ଯେ, ଆଗରୁ ନିୟମିତ ଭାବେ କବିତା ପାଠୋତ୍ସବରେ ଯୋଗ ଦେଉଥିଲି; କିନ୍ତୁ ଏବେ ବୟସ ହୋଇଯିବାରୁ ଆଉ ଯାଇପାରୁନି। ହେଲେ ସମାଜସେବା ସେମିତି ଜାରି ରହିଛି। କାରଣ ଏହା ମୋ ଜୀବନ। ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଅସହାୟଙ୍କୁ ସାହାଯ୍ୟ କରିଚାଲିଥିବି।