ନବି ମୁମ୍ବାଇ,୮।୪: ଟିମ୍ ଇଣ୍ଡିଆ ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ (ଏଲ୍ଏସ୍ଜି) ଅଲରାଉଣ୍ଡର ଦୀପକ ହୁଡା ଦୀର୍ଘ ଦିନ ପରେ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ବିବାଦ ଉପରେ ମୁହଁ ଖୋଲିଛନ୍ତି। କୌତୁହଳର କଥା ହେଲା, ପ୍ରାୟ ବର୍ଷେ ତଳେ କ୍ରୁନାଲ ତାଙ୍କ କ୍ୟାରିୟର ଶେଷ କରିବାକୁ ଧମକ ଦେବା ସହ ବରୋଦା ଦଳରେ ଖେଳାଇ ଦେବେ ନାହିଁ ବୋଲି କହିଥିବା ଅଭିଯୋଗ କରିଥିଲେ ଦୀପକ। ଏହି ଘଟଣା ପରେ ହୁଡା ବରୋଦା ଦଳ ଛାଡ଼ି ରାଜସ୍ଥାନ ପାଇଁ ଘରୋଇ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। କିନ୍ତୁ ଭାଗ୍ୟ ଦୁଇ ଖେଳାଳିଙ୍କୁ ପୁଣି ଥରେ ଏକାଠି କରାଇ ଦେଲା। ଦୁହେଁ ଚଳିତ ଆଇପିଏଲରେ ଏବେ ଲକ୍ଷ୍ନୌ ଫ୍ରାଞ୍ଚାଇଜ ପାଇଁ ସାଥି ହୋଇ ଖେଳୁଛନ୍ତି।
ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ ବେଳେ ଦୁଇ ଖେଳାଳି ପରସ୍ପରକୁ ଆଲିଂଘନ କରିଥିଲେ। ଏହା ଦର୍ଶାଇଥିଲା, ଦୁଇ ଅଲରାଉଣ୍ଡର ପୁରୁଣା କଥାକୁ ଭୁଲି ଆଗକୁ ବଢ଼ି ସାରିଛନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ହୁଡା କହିଥିଲେ, କ୍ରୁନାଲ ପାଣ୍ଡ୍ୟା ମୋ ଭାଇ ଭଳି। ଭାଇ, ଭାଇ ମଧ୍ୟରେ ଲଢ଼େଇ ହୁଏ। ଆମେ ଗୋଟିଏ ଲକ୍ଷ୍ୟକୁ ନେଇ ଖେଳୁଛୁ, ଯାହାକି ଏଲ୍ଏସ୍ଜି ପାଇଁ ମ୍ୟାଚ୍ ଜିତିବା। ମୁଁ ଆଇପଏଲ ଅକ୍ଶନ ଦେଖି ନ ଥିଲେ। ଅନ୍ୟମାନଙ୍କ ଭଳି ଆମେ ମଧ୍ୟ ଦଳୀୟ ହୋଟେଲରେ ଭେଟିଥିଲୁ। ଯାହାବି ଘଟିଗଲା ତାହା ଅତୀତ। ଆମେ ଦୁହେଁ ଏକାଠି ଗୋଟିଏ ଦଳ ପାଇଁ ଖେଳୁଛୁ ଏବଂ ଆମର ଲକ୍ଷ୍ୟ ସମାନ।