ହକି ଦଳ ଯାହା କଲେ, ଆଜି ସାରା ଦେଶ ଖୁସିରେ ନାଚୁଛି: ପିଏମ୍‌ ମୋଦି…

ନୂଆଦିଲ୍ଲୀ,୫।୮: ଭାରତୀୟ ପୁରୁଷ ହକି ଦଳ ଗୁରବୁାର ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛି। ହକି ଦଳ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି। ଅଲିମ୍ପିକ୍ସରେ ପୁରୁଷ ହକି ଦଳ ୪୧ ବର୍ଷ ପରେ ପୁଣି ପଦକ ଜିତିଛି। ହକି ଦଳର ଏହି ଐତିହାସିକ ବିଜୟ ଉତ୍ସବକୁ ସମଗ୍ର ଦେଶ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ହକି ଦଳ ଅଧିନାୟକ ମନପ୍ରୀତ ସିଂ ଏବଂ କୋଚ ଗ୍ରାହାମ ରିଡଙ୍କ ସହିତ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ହେବାର ୨ ମିନିଟ୍‌ ୧୫ ସେକେଣ୍ଡର ଏକ ଭିଡିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ହକି ଦଳ ଯାହା କଲେ, ଆଜି ସାରା ଦେଶ ନାଚୁଛି ବୋଲି ମୋଦି କହିଛନ୍ତି।
ଭିଡ଼ିଓରେ ପ୍ରଧାନମନ୍ତ୍ରୀ କ୍ୟାପଟେନ ମନପ୍ରୀତ ସିଂଙ୍କୁ ଫୋନରେ କହୁଛନ୍ତି, ‘ମନପ୍ରୀତ ବହୁତ ଅଭିନନ୍ଦନ। ତୁମେ ଏବଂ ହକି ଦଳ ଯାହା କରିଛ, ସେଥିପାଇଁ ସମଗ୍ର ଦେଶବାସୀ ଆଜି ଖୁସିରେ ନାଚୁଛନ୍ତି। ହକି ଦଳ କଠିନ ପରିଶ୍ରମ କରିଛି। ମୋ ତରଫରୁ ଟିମ୍‌କୁ ଅଭିନନ୍ଦନ ଜଣାଇବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ସମଗ୍ର ଦେଶ ହକି ଟିମ୍‌ ପାଇଁ ଗର୍ବିତ। ଏହା ପରେ ପ୍ରଧାନମନ୍ତ୍ରୀ କୋଚ ଗ୍ରାହାମ ରିଡଙ୍କ ସହିତ ମଧ୍ୟ କଥାବାର୍ତ୍ତା ହୋଇଥିଲେ।

Share