ଡେରାଡୁନ,୯।୧୨: ଜୀବନରେ ମାତୃଭୂମି, ମାତୃଭାଷା ଏବଂ ମା’ର ଗୁରୁତ୍ୱ ଅଧିକ। ଯାହାଙ୍କ ପାଖରେ ମମତା ନାହିଁ, ତାଙ୍କୁ ଜ୍ଞାନୀ ବୋଲି କହିଲେ, ଅଜ୍ଞ କିଏ ହେବ। ଏଣୁ ପରବର୍ତ୍ତୀ ଜୀବନରେ ଯେଉଁ ପଦବୀରେ ରୁହନ୍ତୁ ନା କାହିଁକି, ଛାତ୍ରମାନଙ୍କୁ ସେମାନଙ୍କ ମୂଳକୁ ଭୁଲିବା ଉଚିତ ନୁହେଁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତରାଖଣ୍ଡର ଡେରାଡୁନ୍ରେ ଡୁନ୍ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।
ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି, ଏଠାରେ ପାଠ୍ୟପୁସ୍ତକରେ ଥିବା ଭାଷା ସହ ସ୍ଥାନୀୟଭାଷାକୁ ଶିକ୍ଷା ଦିଆଯାଉଥିବା ଜାଣି ଖୁସି ହେଲି। ମା’ ଯେଉଁଭଳି ହେଉନା କାହିଁକି, ଅନ୍ୟ ଦୃଷ୍ଟିରେ ଗରିବ ହୋଇଥାଉନା କାହିଁକି, କେଉଁଭଳି ଦେଖାଯାଉନା କାହିଁକି, ମା’-ମା’ ହୋଇଥାଏ। ସେହିଭଳି ଲୋକଙ୍କ ଆଖିରେ ମାତୃଭାଷା ଯାହା ହେଉନା କାହିଁକି, ମାତୃଭାଷା ଆମର ନିଜର। ଦୁନିଆରେ ଯେତେ ବି ଭାଷା ରହିଛି, ଶିଖିବାରେ କୌଣସି ପ୍ରତିବନ୍ଧକ ନାହିଁ। ହେଲେ ମାତୃଭାଷାକୁ ଆମ ଘରେ, ଆମ ସମାଜରେ ବ୍ୟବହାର କରିବା ଆମମାନଙ୍କର କର୍ତ୍ତବ୍ୟ। ନହେଲେ ଆମେ ଆମର ପରିଚୟ ହରାଇବା। ସେଥିଲାଗି ମାତୃଭାଷାରେ କଥା ହେବା, ମାତୃଭୂମିକୁ ସମ୍ମାନ ଦେବା-ଜୀବନ ଦେବା, ମାତୃଭାଷା ଏବଂ ମା’ଙ୍କୁ ଭଲ ପାଇବା ଆମର କର୍ତ୍ତବ୍ୟ। ଏହା ହିଁ ଆମର ପରିଚୟ। ଆଗାମୀ ଦିନରେ କେହି କିଛି ବି ପରିଚୟରେ ଜଣାଯାଅ, ଅଫିସର ହୁଅ, ଇଞ୍ଜିନିୟର ହୁଅ, ଡାକ୍ତର ହୁଅ, ହେଲେ କେବେ ବି ନିଜର ମୂଳକୁ ଭୁଲ ନାହିଁ। ଇଂରେଜମାନେ ଆମକୁ ଏତେ ଦିନ ପର୍ଯ୍ୟନ୍ତ ଶାସନ କରିଥିଲେ। ହେଲେ ଆଜି ଭାରତ ଯେମିତି ବି ହୋଇଥାଉ, ସମସ୍ତେ ତାକୁ ଦେଖୁଛନ୍ତି, କାହିଁକି? କାରଣ ଭାରତବାସୀଙ୍କର ଦେଶପ୍ରତି, ମାତୃଭୂମି ପ୍ରତି, ବିଭିନ୍ନତାରେ ଏକତା ଥିବାର ମନୋଭାବ ଅନ୍ୟଠାରୁ ଭିନ୍ନ। ଏହି ଭାବନା ଆମ ସମସ୍ତଙ୍କୁ ବାନ୍ଧି ରଖିଛି। ଏଣୁ ତୁମେମାନେ ବି ଆଗକୁ ଯାହା ବି ହୁଅ, ଭାରତୀୟ ହୋଇ ରୁହ ବୋଲି ସେ କହିଛନ୍ତି।