Categories: ବାଣିଜ୍ୟ

ଷ୍ଟାଟସ୍‌ ଜରିଆରେ ସଚେତନ କରାଇଲା ହ୍ବାଟ୍‌ସଆପ୍‌

ନୂଆଦିଲ୍ଲୀ: ହ୍ବାଟ୍‌ସଆପ୍‌ର ନୂଆ ଫିଚର ଓ ନିୟମାବଳୀକୁ ନେଇ ଗତ କିଛିଦିନ ହେବ ୟୁଜର୍ସମାନେ (ହ୍ବାଟ୍‌ସଆପ୍‌ ବ୍ୟବହାରକାରୀ) ନାନା ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ୟୁଜର୍ସଙ୍କ ଗୋପନୀୟତା ପଦାରେ ପଡିଯିବାର ଗୁଜବ ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଯାଇଛି। ଉକ୍ତ ଗୋପନୀୟତା ନୀତିରେ ପରିବର୍ତ୍ତନକୁ ନେଇ ନାନା ସମାଲୋଚନାର ଶିକାର ହେବା ପରେ ହ୍ବାଟ୍‌ସଆପ୍‌ ଉକ୍ତ ନିଷ୍ପତ୍ତିରୁ ଓହରିଯାଇଛି। ଫଳରେ କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ନୂତନ ନୀତିକୁ କାର୍ଯ୍ୟକାରୀ ନ କରି ସ୍ଥଗିତ ରଖିଛି ଏବଂ ଏହା ସହିତ କମ୍ପାନୀ କ୍ରମାଗତ ଭାବରେ କ୍ଷତି ନିୟନ୍ତ୍ରଣରେ ନିୟୋଜିତ ରହିଛି। ହ୍ବାଟ୍‌ସଆପ୍‌ ବହୁବାର ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ପରେ ଶେଷରେ ରବିବାର ନିଜ ଷ୍ଟାଟସ୍‌ ଜରିଆରେ ଗୋପନୀୟତା ନୀତି ବିଷୟରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଛି। ହ୍ବାଟ୍‌ସଆପ୍‌ ନିକଟରେ ଗୋପନୀୟତା ନୀତି ବଦଳାଇ ବ୍ୟବହାରକାରୀଙ୍କୁ ବିଜ୍ଞପ୍ତି ପଠାଇବା ଆରମ୍ଭ କରି କହିଛି ଯେ ହ୍ବାଟ୍‌ସଆପ୍‌ ବ୍ୟବହାର କରିବାକୁ ଉପଭୋକ୍ତାମାନଙ୍କୁ ୨୦୨୧ ଫେବୃୟାରୀ ୮ ସୁଦ୍ଧା ନୂତନ ସର୍ତ୍ତାବଳୀ ଗ୍ରହଣ କରିବ ବୋଲି ଘୋଷଣା କରିଥିଲା। ଏହି ଘୋଷଣାନାମାକୁ ନେଇ ବିତର୍କ ଆରମ୍ଭ ହେଲା ଏବଂ କମ୍ପାନୀ ଉକ୍ତ ନୂଆ ନୀତି ଓ ନିୟାମବଳୀକୁ ସ୍ଥଗିତ ରଖିବାକୁ ପଡିଲା। ଫଳରେ ହ୍ବାଟ୍‌ସଆପ୍‌ ୪ଟି ଷ୍ଟାଟସ୍‌ ପୋଷ୍ଟ ଲଗାଇ ଗୋପନୀୟତା ନୀତି ସମ୍ପର୍କରେ ସ୍ପଷ୍ଟ କରିବାକୁ ସୂଚନା ଦେଇଛି। ହ୍ବାଟ୍‌ସଆପ୍‌ ପ୍ରଥମ ଷ୍ଟାଟସ୍‌ରେ କହିଛି ଯେ ଆମେ ଆପଣଙ୍କର (ବ୍ୟବହାରକାରୀ) ଗୋପନୀୟତା ପାଇଁ ପ୍ରତିବଦ୍ଧ। ଏହା ସହିତ ହ୍ବାଟ୍‌ସଆପ୍‌ ଗୋପନୀୟତା ଏବଂ ସୁରକ୍ଷା ବିଷୟରେ ବିସ୍ତାରିତ ଭୁଲ ସୂଚନା ଉପରେ ସ୍ପଷ୍ଟ ସୂଚନା ଦେଇଛି। ଦ୍ବିତୀୟ ଷ୍ଟାଟସ୍‌ରେ ହ୍ବାଟ୍‌ସଆପ୍‌ ଜଣାଇଛି ସମସ୍ତ ଚାଟ୍‌ ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପଶନ ସହିତ ସୁରକ୍ଷିତ ଏବଂ ଆପଣଙ୍କ ବ୍ୟକ୍ତିଗତ ଚାଟ୍‌ କେହି ପଢିପାରିବେ ନାହିଁ କିମ୍ବା ଶୁଣିପାରିବେ ନାହିଁ। ତୃତୀୟରେ ହ୍ବାଟ୍‌ସଆପ୍‌ ଦର୍ଶାଇଛି ଯେ ବ୍ୟବହାରକାରୀଙ୍କ ଦ୍ୱାରା ଅଂଶୀଦାର ହୋଇଥିବା ସ୍ଥାନକୁ ହ୍ବାଟ୍‌ସଆପ୍‌ ପ୍ରବେଶ କରେ ନାହିଁ। ଚତୁର୍ଥ ଷ୍ଟାଟସ୍‌ରେ କହିଛି ଯେ ଏହା ଏହାର ପ୍ୟାରେଣ୍ଟ୍‌ କମ୍ପାନୀ ଫେସବୁକ୍‌ ସହିତ ବ୍ୟବହାରକାରୀଙ୍କ ସମ୍ପର୍କକୁ ଶେୟାର କରେ ନାହିଁ। ହ୍ବାଟ୍‌ସଆପ୍‌ ସେହି ଷ୍ଟାଟସ୍‌ଗୁଡିକ ସହିତ ଏକ ଲିଙ୍କ୍‌ ପ୍ରଦାନ କରିଛି, ଯେଉଁଥିରେ ଗୋପନୀୟତା ବିଷୟରେ ସୂଚନା ଦିଆଯାଇଛି। କମ୍ପାନୀ ଏହାର ୱେବ୍‌ସାଇଟରେ ଲେଖିଛି ଯେ ଆପଣ ଜାଣିପାରିବେ ଆପଣଙ୍କର କେଉଁ ସୂଚନା ବ୍ୟକ୍ତିଗତ ଏବଂ କେଉଁ ସୂଚନା ଆମ ପ୍ୟାରେଣ୍ଟ୍‌ କମ୍ପାନୀ ଫେସବୁକ୍‌ ସହିତ ଅଂଶୀଦାର ହୋଇଛି।

Share