ନୂଆଦିଲ୍ଲୀ,୨୪।୩: ଦେଶର ସବୁଠୁ ବଡ ସୋସିଆଲ ମିଡିଆ ଡାଟା ଲିକ୍ର ପର୍ଦ୍ଦାଫାଶ ହୋଇଛି। ଏହି ମାମଲାରେ ୭ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ସାଇବର ପୋଲିସ ତଥ୍ୟ ସୂଚନାନୁସାରେ, ଏହି ଡାଟା ଲିକରେ ସରକାରୀ ଏବଂ ଅଣ-ସରକାରୀ ପ୍ରାୟ ୧୬.୮ କୋଟି ଆକାଉଣ୍ଟରୁ ତଥ୍ୟ ଚୋରି ହୋଇଛି। ଏଥିରେ ୨.୫୫ ଲକ୍ଷ ସେନା ଅଧିକାରୀଙ୍କ ତଥ୍ୟ ମଧ୍ୟ ରହିଛି। ଏହି ଡାଟା ଲିକ୍କୁ ଦେଶର ସବୁଠୁ ବଡ ଡାଟା ଲିକ କୁହାଯାଉଛି।
ଏହି ପୁରା ଗ୍ୟାଙ୍ଗକୁ ତେଲେଙ୍ଗାନାର ସାଇବରବାଦ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ୧୪୦ ବିଭିନ୍ନ ବର୍ଗରେ ତଥ୍ୟ ବିକ୍ରି କରୁଥିଲେ। ଏଥିରେ ସେନା କର୍ମଚାରୀଙ୍କ ତଥ୍ୟ ବ୍ୟତୀତ ଦେଶର ସମସ୍ତ ଲୋକଙ୍କ ଫୋନ ନମ୍ବର, ନିଟ୍ ଛାତ୍ରମାନଙ୍କର ବ୍ୟକ୍ତିଗତ ସୂଚନା ଇତ୍ୟାଦି ସାମିଲ ଅଛି। ଏହି ସୂଚନା ସାଇବରବାଦ ପୋଲିସ କମିଶନର ଏମ ଷ୍ଟିଫେନ ରବିନ୍ଦ୍ର ଦେଇଛନ୍ତି।
ଏହି ମାମଲାରେ ଦିଲ୍ଲୀରୁ ୭ ଜଣ ଡାଟା ଦଲାଲଙ୍କୁ ଗିରଫ କରାଯାଇଛି। ସମସ୍ତ ଅଭିଯୁକ୍ତ ନୋଏଡାର ଏକ କଲ ସେଣ୍ଟର ମାଧ୍ୟମରେ ତଥ୍ୟ ସଂଗ୍ରହ କରୁଥିଲେ। ଅଭିଯୁକ୍ତମାନେ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ, ଏହି ଚୋରି ହୋଇଥିବା ତଥ୍ୟକୁ ମଧ୍ୟ ୧୦୦ ସାଇବର ଠକଙ୍କୁ ବିକ୍ରି କରାଯାଇଛି।
ଏହି ଡାଟା ଲିକରେ ୧.୨ କୋଟି ହ୍ବାଟ୍ସଆପ୍ ଏବଂ ୧୭ ଲକ୍ଷ ଫେସ୍ବୁକ୍ ୟୁଜର୍ସଙ୍କ ତଥ୍ୟ ସାମିଲ ଅଛି। ପୋଲିସର ରିପୋର୍ଟ ଅନୁଯାୟୀ ଅଭିଯୁକ୍ତମାନେ ୫୦,୦୦୦ ଲୋକଙ୍କ ତଥ୍ୟକୁ ମାତ୍ର ୨,୦୦୦ ଟଙ୍କାରେ ବିକ୍ରି କରିଛନ୍ତି।