Categories: ବାଣିଜ୍ୟ

ହଟିବନି ଗହମ ରପ୍ତାନି କଟକଣା

ନୂଆଦିଲ୍ଲୀ,୨୬।୫: ଭାରତର ଗହମ ରପ୍ତାନି ଉପରେ ଲଗାଯାଇଥିବା କଟକଣା ହଟାଯିବାର କୌଣସି ତତ୍କାଳ ଯୋଜନା ନ ଥିବା ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ବୁଧବାର ସୂଚନା ଦେଇଛନ୍ତି। କଟକଣା ହଟାଯିବା ଦ୍ୱାରା କଳାବଜାରକାରୀ ଏବଂ ଜମାଖୋରୀଙ୍କୁ ସୁବିଧା ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରଏଟର୍ସକୁ ଗୋୟଲ ସାକ୍ଷାତ୍‌କାରରେ କହିଛନ୍ତି, ଗହମ ରପ୍ତାନି କଟକଣା ହଟା ନ ଗଲେ ମଧ୍ୟ ଆବଶ୍ୟକ କରୁଥିବା ଦେଶଗୁଡ଼ିକ ସହିତ ସରକାରୀ ସ୍ତରରେ ଆଲୋଚନା କରାଯାଇ ସେମାନଙ୍କୁ ସାହାଯ୍ୟ ପ୍ରଦାନ ଜାରି ରଖାଯିବ। ତେବେ ବର୍ତ୍ତମାନ ବିଶ୍ୱସ୍ତରରେ ଅସ୍ଥିରତା ଲାଗିରହିଛି। ଏଭଳି ସମୟରେ ରପ୍ତାନି କଟକଣା ହଟାଇବା ଦ୍ୱାରା କଳାବଜାର ବୃଦ୍ଧି ପାଇବ ବୋଲି ଘରୋଇ ରପ୍ତାନିକୁ ଅନୁମତି ଦିଆଯିବା ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି। ଗୋୟଲ ଏହା ମଧ୍ୟ କହିଛନ୍ତି, ଚଳିତ ବର୍ଷ ଗହମ ଉତ୍ପାଦନରେ ୭%-୮% ବୃଦ୍ଧି ଆଶା କରାଯାଉଥିଲା। ଅତ୍ୟଧିକ ତାପମାତ୍ରା କାରଣରୁ ଏଥିରେ ହ୍ରାସ ଘଟିଛି।

Share