Categories: ବାଣିଜ୍ୟ

ସର୍ବୋଚ୍ଚ ସ୍ତରରେ ଗହମ ଦର

ଭୁବନେଶ୍ୱର,୯।୮(ଅଭୟ ଦାଶ): ଗତ କିଛି ମାସ ହେବ ଘରୋଇ ବଜାରରେ ଗହମ ଦର ବୃଦ୍ଧି ପାଇଚାଲିଛି। ଫଳରେ ଗହମରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦର ମଧ୍ୟ ସେହି ପରିମାଣରେ ବଢ଼ି ଚାଲିଛି। ଏପରିକି ଗହମ ଦର ଗତ ୬ ମାସର ଉଚ୍ଚତମ ସ୍ତରକୁ ପହଞ୍ଚତ୍ଛି। ସେହିଭଳି ମଧ୍ୟପ୍ରଦେଶର ଇନ୍ଦୋରଠାରେ ଗହମ ମୂଲ୍ୟ ୧.୫% ବୃଦ୍ଧି ଘଟି ପ୍ରତି ମେଟ୍ରିକ ଟନ୍‌ର ମୂଲ୍ୟ ୨୫,୪୪୬ ଟଙ୍କାରେ ପହଞ୍ଚତ୍ଛି। ୨୦୨୩ ଫେବୃୟାରୀ ୧୦ ପରେ ଗହମର ଏହା ସର୍ବାଧିକ ଦର ବୋଲି କୁହାଯାଉଛି। ଏପରିକି ଗତ ୪ମାସ ମଧ୍ୟରେ ଗହମ ମୂଲ୍ୟ ୧୮% ବୃଦ୍ଧି ପାଇଛି। ସେହିଭଳି ୨୦୨୩ ଅଗଷ୍ଟ ୧ ସୁଦ୍ଧା ସରକାରଙ୍କ ଗୋଦାମଗୁଡ଼ିକରେ ୨୮.୩ ନିୟୁତ ମେଟ୍ରିକ ଟନ୍‌ ଗହମ ଗଚ୍ଛିତ ଥିଲାବେଳେ ୨୦୨୨ ଅଗଷ୍ଟ ପହିଲାରେ ଏହାର ପରିମାଣ ୨୬.୬ ନିୟୁତ ଟନ୍‌ ଗହମ ସରକାରଙ୍କ ଷ୍ଟକ୍‌ରେ ଥିଲା। ବିଶେଷ କରି ଆଗକୁ ପାର୍ବଣ ଋତୁ ଥିବାରୁ ବଜାର ଚାହିଦା ଓ ଖାଉଟିଙ୍କ ଆବଶ୍ୟକତା ଦୃଷ୍ଟିରୁ ଅଟା ଦର ବଢ଼ିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ସେହିପରି ବର୍ତ୍ତମାନ ଉପୁଜିଥିବା ପରିସ୍ଥିତିରେ ସରକାର ଷ୍ଟକ୍‌ରୁ ଖୋଲାବଜାରକୁ ଗହମ ଛାଡ଼ିବା ଦରକାର ବୋଲି ଟ୍ରେଡରମାନେ ଆବେଦନ କରିଛନ୍ତି। ଏପରିକି ସରକାର ମଧ୍ୟ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ୧୫ ଲକ୍ଷ ମେଟ୍ରିକ ଟନ୍‌ ଗହମ ସରକାରୀ ଖାତାରୁ ବିଭିନ୍ନ କ୍ଷେତ୍ର ଯଥା ଡିଲର, ଟ୍ରେଡର, ଖୋଲାବଜାରକୁ ଛାଡ଼ିଥିବା କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ଗତ ସପ୍ତାହରେ ସରକାର ଗହମ ଆମଦାନୀ ଉପରେ ଲାଗୁ ହେଉଥିବା ୪୦% ଶୁଳ୍କ ହ୍ରାସ କରିବା ନେଇ ଆଲୋଚନା ହୋଇଥିଲା। ଅପରପକ୍ଷରେ ଗହମର ଦରବୃଦ୍ଧି ଜାରି ରହିଲେ ଅଟା ଉତ୍ପାଦଗୁଡ଼ିକର ଦର ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବିଶେଷକରି ବିସ୍କୁଟରୁ ଆରମ୍ଭ କରି ବ୍ରେଡ୍‌ ପର୍ଯ୍ୟନ୍ତ ସବୁ ମହଙ୍ଗା ହୋଇପାରେ ବୋଲି ବଜାର ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ସୂଚନାଯୋଗ୍ୟ, ନିକଟରେ ଖାଇବାତେଲ, ଡାଲି, ଟମାଟୋ ଏବଂ ପିଆଜର ଦର ବୃଦ୍ଧି ଯୋଗୁ ଖାଉଟି ମହଙ୍ଗା ମାଡ଼ରେ ଶିକାର ହୋଇଥିବାବେଳେ ସରକାରଙ୍କ ଉପରେ ଦରବୃଦ୍ଧି ଆକ୍ରୋଶ ପରିପ୍ରକାଶ କରିଛନ୍ତି।

Share