ବମ୍ବେ: ସତୁରୀରୁ ଅଶୀ ଦଶକରେ ନିର୍ମିତ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ଫିଲ୍ମଗୁଡ଼ିକୁ ଆଜି ବି ପ୍ରଶଂସା କରାଯାଏ। ସେ ‘ଅଙ୍କୁର’ ହେଉ ଅବା ‘ନିଶାନ୍ତ’, ‘ମଣ୍ଡି’, ସବୁଥିରେ କିଛି ଅଲଗା କରିବାକୁ ଚେଷ୍ଟା କରିଥାନ୍ତି ଶ୍ୟାମ। ୧୯୭୬ରେ ତାଙ୍କର ଏକ ଫିଲ୍ମ ‘ମନ୍ଥନ’ ଆସିଥିଲା। ଅବିଶ୍ୱସନୀୟ କାହାଣୀ ଉପରେ ପର୍ଯ୍ୟବଶିତ ଏହି ଫିଲ୍ମ ସଫଳ ସିନେମା ମଧ୍ୟରୁ ଅନ୍ୟତମ। ଚଳଚ୍ଚିତ୍ର ନିର୍ମାଣ ପଛରେ ଅନେକ ରହସ୍ୟ ଥିଲା। ସେଥିରୁ ଗୋଟିଏ ଥିଲା ଏହାର ପ୍ରଯୋଜନା। ଗୁଜରାଟର ପ୍ରାୟ ୫ ଲକ୍ଷ କୃଷକ ଫିଲ୍ମକୁ ନିର୍ମାଣ କରିଥିଲେ। ଫିଲ୍ମକୁ ନିର୍ମାଣ କରିବା ନିମନ୍ତେ ସମସ୍ତେ ଦୁଇ ଟଙ୍କା ଲେଖାଏ ଚାନ୍ଦା ଦେଇଥିଲେ।
ଶ୍ୱେତ କ୍ରାନ୍ତି/ଦୁଗ୍ଧ କ୍ରାନ୍ତି ଉପରେ ନିର୍ମାଣ ହୋଇଛି ମନ୍ଥନ। ଫିଲ୍ମର ସହଲେଖକ ଥିଲେ ଡା. ବର୍ଗିଜ କୁରିୟନ। ସେ ଶ୍ୱେତ କ୍ରାନ୍ତି ନିମନ୍ତେ ମୂଳଦୁଆ ପକାଇଥିଲେ। ସମସ୍ତେ ତାଙ୍କୁ ଅମୁଲର କର୍ତ୍ତାଧର୍ତ୍ତା ଭାବେ ଜାଣନ୍ତି। ତେବେ ସେ ୧୯୭୦ରେ ଅପରେଶନ ଫ୍ଲଡ ଆରମ୍ଭ କରିଥିଲେ। ଏହାପରେ ଭାରତରେ କ୍ରାନ୍ତି ଆସିବା ସହ ଦୁଗ୍ଧର ସବୁଠାରୁ ଅଧିକ ଉତ୍ପାଦନ ଏଠାରେ ହେଉଛି। ଏଭଳି ବିଷୟବସ୍ତୁକୁ ନେଇ ଫିଲ୍ମ ନିର୍ମାଣ ହେବାକୁ ସ୍ଥିର କରାଯାଇଥିଲା। କାହାଣୀ ସାଧାରଣ ଗାଁ ଉପରେ ଥିଲା। ଏଣୁ ସେଥିରେ କେହି ବି ଟଙ୍କା ଲଗାଇବାକୁ ପସନ୍ଦ କରି ନ ଥିଲେ। ଫିଲ୍ମର ବଜେଟ କିନ୍ତୁ ୧୦-୧୨ ଲକ୍ଷ ଥିଲା। ଏପରିସ୍ଥଳେ କୁରିୟନ ଉପାୟ ଚିନ୍ତା କରିଥିଲେ। କୃଷକମାନଙ୍କ ସହାୟତାରେ ସେ ଭିନ୍ନ ଉଦାହରଣ ସୃଷ୍ଟି କରିଥିଲେ।
ମନ୍ଥନରେ ଅନେକ ବଡ କଳାକାର କାମ କରିଥିଲେ। ସ୍ମିତା ପାଟିଲ, ଗିରିଷ କର୍ନାଡ, ନସିରୁଦ୍ଦିନ ଶାହ, କୁଳଭୂଷଣ ଖରବନ୍ଦା, ଅମରେଶ ପୁରୀଙ୍କ ସମେତ ଅନ୍ୟ କଳାକାର ଏଥିରେ ଥିଲେ। ଫିଲ୍ମକୁ ୧୯୭୬ରେ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଦେଶ ତଥା ବିଦେଶରେ କାହାଣୀକୁ ପ୍ରଶଂସା ମଧ୍ୟ କରାଯାଇଥିଲା।