ଧର୍ମେନ୍ଦ୍ରଙ୍କୁ ନୁହେଁ ବରଂ ଜିତେନ୍ଦ୍ରଙ୍କୁ ବିବାହ କରିଥାନ୍ତେ ବଲିଉଡ୍‌ର ଡ୍ରିମଗର୍ଲ; ପ୍ରସ୍ତୁତ ଥିଲା ମଣ୍ଡପ, ହେଲେ…

ବମ୍ବେ: ବିଗତ ଦିନର ସୁପରଷ୍ଟାର ଜିତେନ୍ଦ୍ରଙ୍କ ଆଜି ହାପି ବର୍ଥ ଡେ। ୧୯୬୪ରେ ଫିଲ୍ମ ‘ଗୀତ ଗାୟା ପତ୍ଥରୋ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ଜିତେନ୍ଦ୍ର ଦୁଇଶହରୁ ଅଧିକ ଫିଲ୍ମରେ କାମ କରିଛନ୍ତି। କେବଳ ଯେ ଅଭିନୟ ତାହା ନୁହେଁ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହୁଥିଲେ ଏହି ଅଭିନେତା। ସେଥିରୁ ଗୋଟିଏ ଥିଲା ହେମା ମାଳିନୀଙ୍କ ସହ ତାଙ୍କ ବିବାହ।

ପରସ୍ପରର ବନ୍ଧୁ ଥିଲେ ହେଁ ଚଳଚ୍ଚିତ୍ର ‘ଦୁଲ୍ହନ’ର ଶୁଟିଂ ସମୟରେ ହେମାଙ୍କୁ ମନ ଦେଇ ବସିଥିଲେ ଜିତେନ୍ଦ୍ର। ପରିବାରଲୋକେ ଏହା ଜାଣିବା ପରେ ଉଭୟଙ୍କ ବିବାହ ପାଇଁ ଦିନଧାର୍ଯ୍ୟ ମଧ୍ୟ କରିଥିଲେ। ହେଲେ ସେତେବେଳେ ହେମା ଧର୍ମେନ୍ଦ୍ରଙ୍କୁ ପସନ୍ଦ କରୁଥିଲେ। ବିବାହ ଠିକ୍‌ ହେଉଥିବା ନେଇ ସେ ଅଭିନେତାଙ୍କୁ ଜଣାଇଥିଲେ। ଧର୍ମେନ୍ଦ୍ର ବିବାହ ଦିନ ଜିତେନ୍ଦ୍ରଙ୍କ ତତ୍କାଳିନ ପ୍ରେମିକା ଥିବା ଶୋଭା କପୁରଙ୍କୁ ନେଇ ବିବାହସ୍ଥଳରେ ପହଞ୍ଚିଥିଲେ। ସେତେବେଳେ ସେ ନିଶାରେ ଥିଲେ। ଝିଅଙ୍କ ବିବାହରେ ବାଧା ସୃଷ୍ଟି ହେଉଥିବା ଦେଖି ହେମାଙ୍କ ବାପା ଧର୍ମେନ୍ଦ୍ରଙ୍କୁ ବାହାରକୁ ତଡ଼ିଥିଲେ। ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ଝିଅଙ୍କ ଜୀବନରୁ କାହିଁକି ବାହାରିଯାଉନାହାନ୍ତି ସେ ବାରମ୍ବାର ପ୍ରଶ୍ନ କରୁଥିଲେ।

ହୋଟେଲରେ ବିବାହ ପାଇଁ ପ୍ରସ୍ତୁତି ସରିଥିଲା। ବଧୁ ବେଶରେ ହେମା ବେଶ ସୁନ୍ଦର ଲାଗୁଥିଲେ ହେଁ ଖୁସି ନ ଥିଲେ। ତାଙ୍କ ଆଖିରେ ଲୁହ ଥିଲା। ସେ ନିଜ ରୁମ୍‌ରୁ ବାହାରି ସମସ୍ତଙ୍କୁ କିଛି ଦିନ ବିବାହ ସ୍ଥଗିତ ରଖିବାକୁ କହିଥିଲେ। ହେଲେ ଜିତେନ୍ଦ୍ରଙ୍କ ପରିବାର ଆଜି ନୁହେଁ ତ କେବେ ନୁହେଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ଶେଷରେ ତାହା ହିଁ ହୋଇଥିଲା। ଜିତେନ୍ଦ୍ର ପରିବାର ସହ ସେଠାରୁ ଚାଲି ଯାଇଥିଲେ। ପରେ ଏହି ଅଭିନେତା ଶୋଭାଙ୍କୁ ଜୀବନସାଥୀ କରିଥିବା ନେଇ ହେମାଙ୍କ ଆତ୍ମଜୀବନୀ ‘ବିଅଣ୍ଡ ଦ ଡ୍ରିମ୍‌ ଗର୍ଲ’ରେ ଉଲ୍ଲେଖ କରାଯାଇଛି।

Share